ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋନିଆଙ୍କ ବାର୍ତା ଧରି ଆସିଲେ ୟେଚୁରୀ : କାଲି ନବୀନଙ୍କୁ ଭେଟି କରିବେ ଆଲୋଚନା

20

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ତିନି ମାସରୁ କମ୍ ସମୟ ବାକି ଥିବା ବେଳେ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ମେଳି ବାନ୍ଧୁଛନ୍ତି ବିରୋଧୀ ଦଳ । ଏହି ପରିପ୍ରେକ୍ଷୀରେ ସିପିଏମ୍ ନେତା ସୀତାରାମ ୟେଚୁରୀ ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି । ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ନବୀନ କହିବା ପରେ ବିଜେଡିର ଆଭିମୁଖ୍ୟ ଉପରେ ରହିଛି ସମସ୍ତଙ୍କ ନଜର ।

ରାଷ୍ଟ୍ରପତି ନିର୍ବାଚନରେ କ’ଣ ହେବ ନବୀନଙ୍କ ଆଭିମୁଖ୍ୟ? ମୋଦି ବିରୋଧୀ ସମୀକରଣରେ ସାମିଲ ହେବେ କି ନବୀନ? ରାଷ୍ଟ୍ରପତି ନିର୍ବାଚନ ନେଇ ଜାତୀୟ ରାଜନୀତି ସରଗରମ ହେଉଥିବା ବେଳେ ଏବେ ଭୁବନେଶ୍ୱରରେ ପହଂଚିଛନ୍ତି ସିପିଏମର ମହାସଚିବ ସୀତାରାମ ୟେଚୁରୀ । ଗୁରୁବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଉଛନ୍ତି ଏହି ବରିଷ୍ଠ ବାମନେତା । ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ମିଳିତ ପ୍ରାର୍ଥୀ ଦେବାକୁ ଆରମ୍ଭ ହୋଇଛି କସରତ ।

ନବୀନଙ୍କ ସହ କଥା ହେବା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଜେଡିୟୁ ସଭାପତି ଶରଦ ଯାଦବ, ଏନ୍ସିପି ମୁଖ୍ୟ ଶରଦ ପାୱାର ଓ ଆରଏଲ୍ଡି ମୁଖ୍ୟ ଅଜିତ୍ ସିଂହ ପ୍ରମୁଖଙ୍କୁ ଭେଟି ରାଷ୍ଟ୍ରପତି ପ୍ରାର୍ଥୀ ସଂପର୍କରେ ଆଲୋଚନା କରିସାରିଛନ୍ତି । ଅନ୍ୟପଟରେ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ରଖୁଥିବା ବିଜେଡି ଏବେ କ’ଣ ଆଭିମୁଖ୍ୟ ଗ୍ରହଣ କରିବ ତା ଉପରେ ସମସ୍ତଙ୍କ ନଜର ।

ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏନ୍ଡିଏକୁ ମାତ୍ର ଗୋଟିଏ ଦୁଇଟି ଛୋଟ ଦଳ ଉପରେ ନିର୍ଭର କରିବାକୁ ପଡ଼ିପାରେ । ଏପରିସ୍ଥଳରେ ନବୀନଙ୍କ ଆଭିମୁଖ୍ୟର ଗୁରୁତ୍ୱ ବଢ଼ିଯାଇଛି ।