ମୋଦି କହିବେ କାଶ୍ମୀର କାହାଣୀ, ଦେଶବାସୀଙ୍କୁ କରିବେ ସମ୍ବୋଧନ । ରାତି ୮ଟାରେ ଟେଲିଭିଜନ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ରଖିବେ ବାର୍ତ୍ତା ।

175

କନକ ବ୍ୟୁରୋ : ୮ ମାସ, ୮ ତାରିଖ, ରାତି ୮ଟା । ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଧାରା ୩୭୦ରେ ସଂଶୋଧନ ଏବଂ କାଶ୍ମୀର ପୁନର୍ଗଠନ ପରେ ପ୍ରଥମ ଥର ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ରଖିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଚର୍ଚ୍ଚା ହେଉଛି, ଦୀର୍ଘ ୭୦ ବର୍ଷ ଭିତରେ କେନ୍ଦ୍ର ସରକାର ନେଇଥିବା ସବୁଠୁ ବଡ ନିଷ୍ପତି ଉପରେ ସ୍ପଷ୍ଟୀକରଣ ରଖିବେ ମୋଦି ।

ସାରା ଦେଶର ନଜର ଏବେ ସେହି ଗୋଟିଏ ଚେହେରା ଉପରେ । କ’ଣ କହିବେ ମୋଦି ? ଦେଶବାସୀଙ୍କ ଉଦ୍ଦେଶ୍ୟରେ କେଉଁ ବାର୍ତା ରଖିବେ ପ୍ରଧାନମନ୍ତ୍ରୀ ? ଧାରା ୩୭୦ ସଂକୁଚିତ ହେବା ଏବଂ କାଶ୍ମୀର ପୁର୍ନରଗଠନ ନିଷ୍ପତି ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କ ଆଗରେ ସରକାରଙ୍କ ଆଭିମୁଖ୍ୟ ରଖିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି କହିବେ କାଶ୍ମୀର କାହାଣୀ । ପ୍ରଧାନମନ୍ତ୍ରୀଙ୍କ ଉପରେ ଦେଶର ନଜର । ଦୀର୍ଘ ୭୦ ବର୍ଷ ଧରି ଯେଉଁ ନିଷ୍ପତି ନେବା ପାଇଁ କୌଣସି ସରକାର ସାହାସ ବି କରୁନଥିଲେ, ସେହି ଧାରା ୩୭୦ ଉପରେ ଚତୁରତା ଓ ସରଳତାର ସହ ନିଷ୍ପତି ସିନା ହୋଇଗଲା, ହେଲେ ନିଷ୍ପତିର ପରବର୍ତୀ ପରିବେଶ ହୁଏତ ଏବେ ଧିରେ ଧିରେ ଜଟିଳ ହେବାରେ ଲାଗିଛି ।

ପାଦେ ପାଦେ ପାକିସ୍ତାନ ଚ୍ୟାଲେଂଜ୍ କରୁଛି, ଚୀନ ଆପତି ଉଠାଇଛି । ଆଉ ଆମେରିକାକୁ ଏଭଳି ନିଷ୍ପତି ସଂପର୍କରେ କୌଣସି ସୂଚନା ଦିଆଯାଇନଥିବା ୱାସିଂଟନ୍ ସ୍ପଷ୍ଟ କରିଛି । ଆଉ ଏଭଳି ଏକ ମୁହୂର୍ତରେ ଦେଶବାସୀଙ୍କୁ ସଂବୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।
କ’ଣ କହିବେ ପ୍ରଧାନମନ୍ତ୍ରୀ? ପାକ୍ ଓ ଚୀନକୁ ମିଳିବ କି ଉତର? କାଶ୍ମୀର ଉପରେ ହୋଇଥିବା ନିଷ୍ପତିକୁ ଖୋଲାଖୋଲି ବିରୋଧ କରିଛି ପାକିସ୍ତାନ । ଏମିତି କି ପାକ୍ ପାର୍ଲାମେଂଟ୍ ଭିତରେ ପୁଲୱାମା ଭଳି ଘଟଣା ଘଟିବ ବୋଲି ଧମକ୍୍ ଦେଇଛନ୍ତି ଇମ୍ରାନ ଖାନ୍ । ଏହା ସହ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେବାକୁ ସତର୍କ କରିବା ସହ ଯୁଦ୍ଧଭଳି ସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି ପାକିସ୍ତାନ । ଅନ୍ୟପଟେ କାଶ୍ମୀର ପୁର୍ନରଗଠନ ନିଷ୍ପତି ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛି ଚୀନ୍ ।

ବିଶ୍ୱ ସମୁଦାୟର ରହିଛି ନଜର । ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବେ ମୋଦି ? ଜାମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପର ହୋଇଥିଲେ ସୁଦ୍ଧା, ପାକିସ୍ତାନ ଓ ଚୀନ୍ ଯେଉଁ ଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହା ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଛି । ତେଣୁ ମୋଦିଙ୍କ ମୁହଁରୁ ଏଭଳି କିଛି ସ୍ପଷ୍ଟିକରଣ ମିଳିପାରେ ଯାହା ସମସ୍ତଙ୍କ ମୁହଁ ବନ୍ଦ କରିଦେବ ।

ସନ୍ଦେହ ମୋଚନ କରିବେ ମୋଦି ? ବିରୋଧୀଙ୍କୁ ମିଳିବ ଜବାବ୍ ? କେନ୍ଦ୍ର ସରକାରଙ୍କ ନିଷ୍ପତି ଦେଶବାସୀଙ୍କୁ ଖୁସି କରିଛି ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ନିଷ୍ପତିର ପରବର୍ତୀ ପ୍ରତିକ୍ରିୟା କ’ଣ ହେବ ତାକୁ ନେଇ ଏବେ ବି ସନ୍ଦିହାନ ଭାରତବାସୀ । ଗୋଟିଏ ପଟେ ପାକ୍ ଅନ୍ୟପଟେ କାଶ୍ମୀର ବିଚ୍ଛିନ୍ନତାବାଦୀ । ଦେଶର ଶାନ୍ତି ଓ ସଂବୃଦ୍ଧିରେ ଏମାନେ ବାଟ ଓଗାଳିିବେ କି? ଏହି ସନ୍ଦେହ ଆସୁଛି ଜନତାଙ୍କ ଭିତରେ । ହୁଏତ, ମୋଦି ତାଙ୍କ ଭାଷଣରେ ଦେଶବାସୀଙ୍କ ସନ୍ଦେହମୋଚନ କରିବାକୁ ଉଦ୍ୟମ କରିବେ । ସେହିପରି କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରି ଆସୁଥିବା ବିରୋଧୀଙ୍କୁ ଜବାବ୍ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ।

ଠିକ୍ ୮ନଭେମ୍ବର ୨୦୧୬ ଭଳି ୮ ଅଗଷ୍ଟ ୨୦୧୯, ସେହି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ବିମୁଦ୍ରାୟନ ସମୟରେ ବି ଦେଶବାସୀ କିଛି ଜାଣି ନଥିଲେ ପ୍ରଧାନମନ୍ତ୍ରୀ କ’ଣ କହିବେ, ଆଉ ଆଜିର ଦିନରେ ବି ଜନତା ଜାଣି ନାହିଁନ୍ତି ପ୍ରଧାନମନ୍ତ୍ରୀ କ’ଣ କହିବେ । ଆଉ ତମାମ୍ ଆକଳନ ଭିତରେ ରାତି ୮ଟାକୁ ଅପେକ୍ଷା ।