ଲଗାଣ ବର୍ଷା ଯୋଗୁଁ ଦକ୍ଷିଣରୁ-ପଶ୍ଚିମ ସବୁଠି ବନ୍ୟା ପରିସ୍ଥିତି । କୁଚିଣ୍ଡା ପୋଲ ଉପରେ ବହିଲା ପାଣି, ଝାରସୁଗୁଡା ଓ ରାଉରକେଲାକୁ ଯୋଗାଯୋଗ ବିଛିନ୍ନ ।

439

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଦକ୍ଷିଣରୁ-ପଶ୍ଚିମ ସବୁଠି ବନ୍ୟା ପରିସ୍ଥିତି । ଦକ୍ଷିଣ ଓଡିଶାର କନ୍ଧମାଳ, ରାୟଗଡା, କୋରାପୁଟ, ଗଜପତିରେ ବନ୍ୟା ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଲୋକେ । କେଉଁଠି ପାଣି ଘେରରେ ଥିବା ଘରର କାନ୍ଥ ଭାଙ୍ଗି ପଡିଛ ତ ଆଉ କେଉଠି ସ୍କୁଲ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଠିଆ ହୋଇଛି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଦୁର୍ବଳ ହେବା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀରରେ ଲୋକଙ୍କ ଘରେ ବର୍ଷା ପାଣି ପଶିଯିବାରୁ ଲୋକେ ନାକେଦମ୍ ହୋଇଛନ୍ତି । ସେପଟେ କୁଚିଣ୍ଡାରେ ପୋଲ ଉପରେ ପାଣି ବହୁଥିବାରୁ ରାସ୍ତା ଉପରେ ଅଟକି ରହିଥିଲା ଶହଶହ ଟ୍ରକ ।

ବଲାଙ୍ଗୀରକୁ ବର୍ଷା କଲା ବେହାଲ । ଘର ବାହାରେ ଖାଲି ପାଣି, ପାଣି ଆଉ ପାଣି । ଗୋଟିଏ ରାତିର ବର୍ଷାରେ ବେହାଲ ବଲାଙ୍ଗିର ସହର । ଚାରିଆଡେ ଖାଲି ପାଣି ପାଣି ଆଉ ପାଣି । ସହରର ତଳିଆ ଅଂଚଳ ସହ ମୁଖ୍ୟ ରାସ୍ତା ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକଙ୍କ ଘରେ ବି ପାଣି ପଶିଯାଇଛି । ସହରର ତେଲିଗୋଟ ପଡା, ମାଲପଡା, କଂସାରିପଡା, ରାଜେନ୍ଦ୍ରପଡା, ଇନ୍ଦ୍ରାନଗର, ଶାସ୍ତ୍ରୀନଗର, ସାଗରପଡା ଅଂଚଳ ଜଳବନ୍ଦି ହୋଇ ରହିଥିଲା । ରାଣୀସାଗରରୁ ପାଣି ଆସି ଡ୍ରେନ୍ ଭର୍ତି ହୋଇ ରହିଥିବା ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିଯାଇଥିଲା । ଫଳରେ ବଲାଙ୍ଗୀର ସହରବାସୀ ନାକେଦମ୍ ହୋଇଛନ୍ତି ।

କୁଚିଣ୍ଡା ପୋଲ ଉପରେ ବହିଲା ପାଣି । ରାସ୍ତା ଉପରେ ଅଟକିଲା ଶହଶହ ଟ୍ରକ । ଲଗାଣ ବର୍ଷା ଫଳରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ସ୍ଥିତି ସାଂଘାତିକ ହୋଇଛି । କେଉଁଠି ପୋଲ ଉପରେ ପାଣି ବହୁଛି ତ କେଉଁଠି ଘରର କାନ୍ଥ ଭାଙ୍ଗି ଯାଇଛି । ଆଉ କେଉଁ ପୋଲକୁ ସଂଯୋଗ କରୁଥିବା ରାସ୍ତା ଧୋଇଯିବାରୁ ଗମନାଗମନ ଠପ୍ ହୋଇଯାଇଛି । କୁଚିଣ୍ଡା ଦେଇ ଯାଇଥିବା ୩୫ ନମ୍ବର ଜାତୀୟ ରାଜପଥ ସାପଲେଂଜି ଠାରେ ପୋଲ ଉପରେ ପାଣି ବହୁଛି । ଫଳରେ କୁଚିଣ୍ଡାରୁ ରାଉଲକେଲା ଏବଂ ଝାରସୁଗୁଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ବ୍ରିଜ ଉପରେ ପାଣି ଚାଲୁଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଟ୍ରକ ଅଟକି ରହିଛି । ଏହାସହ ପତ୍ରାପାଲି ଗାଁରେ ବନ୍ୟାଜଳ ପଶିଯିବାରୁ ଅନେକ ଘରର କାନ୍ଥ ଭାଙ୍ଗିଯାଇଛି । ଜଳ ବିହୁନି ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟି ନାସ । ଗତ କିଛି ଦିନ ତଳେ ବର୍ଷା ଅଭାବରୁ ଚାଷ ଉଜୁଡି ଯିବାର ଆଶଙ୍କା ଚାଷୀଙ୍କୁ ଘାରିଥିଲା । ଆଉ ଏବେ ଲଘୁଚାପ ବର୍ଷା ଲୋକଙ୍କୁ ରାତି ତମାମ୍ ଅନିଦ୍ରା ରଖିଛି ।