ସୀମାରେ ସେନା ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ମିଠା ଖୁଆଇଲେ, ଯବାନଙ୍କ ମନୋବଳ ବଢାଇଲେ ମୋଦି ।

114

କନକ ବ୍ୟୁରୋ : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘର ପରିବାର ଛାଡି ଦେଶ ପାଇଁ ସୁରକ୍ଷାର କବଚ ସାଜିଥିବା ଯବାନଙ୍କୁ ମିଠା ଖୁଆଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି ମୋଦି । ଆଉ ଦେଇଛନ୍ତି ଭିନ୍ନ ସନ୍ଦେଶ ।

କାଶ୍ମୀରରେ ‘ଦୀପାବଳି’ ମନାଇଲେ ମୋଦି । ଯବାନଙ୍କ ଗହଣରେ କଟିଲା ଉତ୍ସବ । କ୍ଷମତାରେ ଆସିବା ଦିନଠାରୁ ଯବାନଙ୍କ ଗହଣରେ ଦୀପାବଳି ଉତ୍ସବ ମନାଇ ଆସୁଥିବା ମୋଦି, ଏଥର ବି ସେଇ ପୁରଣା ଢ଼ଙ୍ଗରେ ସାମ୍ନାକୁ ଆସିଛନ୍ତି । କାଶ୍ମୀରରେ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଏବଂ କ୍ଷମତାକୁ ଆସିବା ପରେ ତୃତୀୟ ଥର ପାଇଁ କାଶ୍ମୀରରେ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ରଜୋରୀ ସେକ୍ଟରର ସୀମାରେ ଜଗୁଥିବା ଯବାନଙ୍କ ଗହଣରେ ଆଲୋକର ପର୍ବ ପାଳନ କରିଛନ୍ତି ମୋଦି । ଏହି ଅବସରରେ ଯବାନଙ୍କ ସହ କିଛି ସମୟ ହସଖୁସିରେ ବିତାଇଛନ୍ତି ।

ଯବାନଙ୍କୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ସେନା କାର୍ଯ୍ୟାଳୟ ଯାଇ ବରିଷ୍ଠ ସେନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ଏହାପୂର୍ବରୁ ୨୦୧୪ରେ ସିଆଚେନରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ଏବଂ ବନ୍ୟା ପ୍ରଭାବିତଙ୍କୁ ସାକ୍ଷାତ କରିଥିଲେ । ୨୦୧୫ରେ ପଂଜାବ ସୀମାରେ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ । ୨୦୧୭ରେ କାଶ୍ମୀରର ଗୁରେଜ୍ ସେକ୍ଟରରେ ଏବଂ ୨୦୧୮ରେ ଭାରତ-ଚୀନ୍ ସୀମାରେ ଆଇଟିବିପି ଯବାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଥିଲେ ।