କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଛିଡୁନି ଅଙ୍କ, ଶିବସେନା କହିଲା, ଦଳ ହାତରେ ରହିଛି ରିମୋଟ୍ କଂଟ୍ରୋଲ । ବିଜେପି କହିଲା, ଦଳର ଷ୍ଟ୍ରାଇକ୍ ରେଟ୍ ଭଲ ।

302

କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ, ଛିଡୁନି ଗଣିତ । ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଦାବିରେ ଅଟଳ ରହିଥିବା ଶିବସେନା ସ୍ୱରକୁ ଆହୁରି ଟାଣ କରିଛି । ଆଉ କହିଛି ମହାରାଷ୍ଟ୍ରରେ ସରକାର ଗଢ଼ିବା ପାଇଁ ଶିବସେନା ନିକଟରେ ରହିଛି ରିମୋର୍ଟ । ଅନ୍ୟପଟେ ବିଜେପି କହିଛି ଦଳର ଷ୍ଟ୍ରାଇକ୍ ରେଟ୍ ଭଲ ରହିଛି । ଏସବୁ ବାଦବିବାଦ ଭିତରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ବଢ଼ିବାରେ ଲାଗିଛି ଦ୍ୱନ୍ଦ୍ୱ ।

ଶିବସେନାର ‘ରିମୋଟ୍’ ବନାମ ବିଜେପିର ‘ଷ୍ଟ୍ରାଇକ୍ ରେଟ୍’ । ଫଳାଫଳର ଅଛିଣ୍ଡା ଅଙ୍କ ପରେ ଆପଣ ଯଦି ମହାରାଷ୍ଟ୍ର ରାଜନୀତି ଉପରେ ଖବର ରଖୁଥିବେ, ହୁଏତ ଆପଣ ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ିଯାଉଥିବେ ଯେ, ପ୍ରକୃତରେ ସେଠି ଚାଲିଛି କ’ଣ । ହୁଏତ, ଆପଣଙ୍କୁ ଟିଭି ଦେଖିଲା ଭଳି ଲାଗୁଥିବ କିମ୍ବା କ୍ରିକେଟ୍ ମ୍ୟାଚ୍ ଦେଖିଲା ଭଳି ଲାଗୁଥିବ । କାରଣ, କାଲିଯାଏଁ ୫୦-୫୦ କଥା କହୁଥିବା ଶିବସେନା ଆଜି ରିମୋଟ୍ କଂଟ୍ରୋଲର କଥା କହୁଛି । ଅନ୍ୟପଟେ ନଛୋଡବନ୍ଧା ଥିବା ବିଜେପି କ୍ରିକେଟର ଭାଷାରେ କହିଛି, ଦଳର ଷ୍ଟ୍ରାଇକ୍ ରେଟ୍ ଖୁବ୍ ଭଲ ।

କ୍ଷମତାର ସଂପୂର୍ଣ୍ଣ ଅଧା-ଅଧା ଭାଗବଂଟା ପାଇଁ ଦାବି କରୁଛି ଶିବସେନା । କେବଳ ସେତିକି ନୁହେଁ ଏଥିପାଇଁ ଲିଖିତ ଭାବେ ପ୍ରତିଶ୍ରୁତି ଦେବା ପାଇଁ ବିଜେପି ଉପରେ ଚାପ ପକାଉଛି ଦଳ । ଆଉ ଠିକ୍ ଏତିକି ବେଳେ ମହାରାଷ୍ଟ୍ର କ୍ଷମତା ରାଜନୀତିର ରିମୋର୍ଟ ଶିବସେନା ହାତରେ ରହିଛି ବୋଲି ଦଳ ଦାବିକରିଛି ।

ଆଉ ଏସବୁ ଭିତରେ ଶିବସେନା ସାଂସଦଙ୍କ ଏକ କାଟୁର୍ନ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରି ଦେଉଛି । ଯେଉଁଥିରେ ବିଜେପିର ଦଳୀୟ ଚିହ୍ନ ପଦ୍ମଫୁଲକୁ ଗିଳିଦେବା ମୁଦ୍ରାରେ କାର୍ଟୁନ୍ ପ୍ରସ୍ତୁତ ହୋଇଛି । ଆଉ ଏପଟେ ଶିବସେନାର ମୁଖପାତ୍ର କୁହାଯାଉଥିବା ସାମନା ଖବରକାଗଜରେ ଲେଖାଯାଇଛି, ୨୦୧୪ ତୁଳନାରେ ବିଜେପି କମ ଆସନ ପାଇଛି ସତ । କିନ୍ତୁ ଶିବସେନା ହାତରେ ରହିଛି ମହାରାଷ୍ଟ୍ର କ୍ଷମତାର ରିମୋଟ୍ କଂଟ୍ରୋଲ୍ ।

୨୦୧୪ ବିଧାନସଭା ନିର୍ବାଚନରେ ଶିବସେନା ୬୩ ଆସନ ପାଇଥିବା ବେଳେ ଏଥର ପାଇଛି ୫୬ ଆସନ । ହେଲେ ବର୍ତମାନର ସ୍ଥିତି ଅନୁସାରେ ଏହି ସଂଖ୍ୟା ବିଜେପି ଉପରେ ଚାପ ପକାଇବା ପାଇଁ ଯଥେଷ୍ଟ । ଯାହା ବିଜେପିର ସବୁ ଗଣିତକୁ ଓଲଟପାଲଟ କରିଦେଇଛି ।

ଆଉ ଏପଟେ ଶିବସେନାର ରିମୋଟ୍ କଂଟ୍ରୋଲର ଜବାବ୍ ଷ୍ଟ୍ରାଇକ୍ ରେଟରେ ରଖିଛି ବିଜେପି । ଦେବେନ୍ଦ୍ର ଫଡ଼ନାବିସ୍ କହିଛନ୍ତି, ୨୦୧୪ ଅପେକ୍ଷା ୨୦୧୯ରେ ବିଜେପିର ଷ୍ଟ୍ରାଇକ୍ ରେଟ୍ ଖୁବ ଭଲ । ୨୦୧୪ରେ ବିଜେପି ୨୬୦ ଆସନରେ ଲଢ଼ିଥିଲା ୪୭% ଆସନ ଜିତିଥିଲା ଏବଂ ୨୮% ଭୋଟ୍ ପାଇଥିଲା । କିନ୍ତୁ ୨୦୧୯ରେ ଦଳ ୧୫୦ ଆସନରେ ଲଢ଼ି ୭୦% ଆସନ ଜିତିଛି ଏବଂ ୨୬% ଭୋଟ୍ ପାଇଛି । ବିଜେପି ପାଇଁ ଶିବସେନା ଯେମିତି ଗଳାରେ ଅଟକି ରହିଥିବା କଂଟା ଭଳି ହୋଇଛି । ଯାହାକୁ ନାଁ ଗିଳି ପାରୁଛି ନା’ ବାହାରକୁ ଫୋପାଡ଼ି ପାରୁଛି । ଆଉ ଏସବୁ ଭିତରେ ଦେଖିବାର କଥା ହେଉଛି, କିଏ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ।