କରୋନା ଚିନ୍ତା ବଢ଼ାଉଛି ୮ରାଜ୍ୟ : ବଢ଼ି ଚାଲିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା

କାଲି ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦୀ

461

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ହେବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ହ୍ରାସ ପାଉଛି । ୮ଟି ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ, ପଂଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ ଏବଂ ହରିୟାଣା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ହୋଇଛି । ଏହି ୮ଟି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ଏକ ମାସ ମଧ୍ୟରେ ମହାରାଷ୍ଟ୍ର ପାଖାପାଖି ଅଢ଼େଇ ଲକ୍ଷ ସଂକ୍ରମିତ ହୋଇଛନ୍ତି ।

ସେପଟେ ଦେଶର କରୋନା ସଂକ୍ରମଣ ଓ ଟିକାକରଣ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ମଧ୍ୟାହ୍ନ ୧୨ଟା ୩୦ରେ ଭିଡ଼ିଓ କନଫରେନ୍ସିଂ ଯୋଗେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

ଗତ କିଛି ଦିନ ହେଲା ଦେଶରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏପରିକି ପ୍ରତିଦିନ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । କେତେକ ରାଜ୍ୟରେ ସଂକ୍ରମଣ ଚିନ୍ତା ବଢ଼ାଇଥିଲା ବେଳେ ସେହି ବିଷୟରେ ମଧ୍ୟ ବୈଠକରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଗତବର୍ଷ କରୋନା ମହାମାରୀ ଦେଖାଦେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଆସୁଛନ୍ତି ।