ବନ୍ଧୁକ ନେଲା ବିଲେଇ ଜୀବନ: ନିଷ୍ଠୁରତାର ସବୁ ସୀମା ଟପି ବିଲେଇ ମୁଣ୍ଡକୁ ଗୁଳି କଲା ମଣିଷ । ବିଲେଇ ହତ୍ୟାକାରୀକୁ ଗିରଫ ପାଇଁ ଜୋର ଧରିଲା ଦାବି

712

କନକ ବ୍ୟୁରୋ: ଅମାନବୀୟ, ବୀଭତ୍ସ, ବର୍ବର ଆଉ ନୃଶଂସତାର ସୀମା ପାର । । ପଶୁ ଉପରେ ମଣିଷର କ୍ରୁର ବ୍ୟବହାର । ନିରୀହ ଜନ୍ତୁ ଉପରେ ନିଷ୍ଠୁରତାର ସବୁ ସୀମା ଟପିଗଲା ମାନବିକତା । ଆଉ ମଣିଷ ପାଖରେ ରହୁଥିବା ପୁଷି ମାଉସୀ ମୁଣ୍ଡରେ ଚଲାଇଲା ବନ୍ଧୁକର ଗୁଳି । ଗୋଟିଏ ଗୁଳିରେ ସେଇଠି ହିଁ ଟଳିପଡିଲା ପୋଷା ବିଲେଇ । ଭୁବନେଶ୍ୱରରେ ବିଲେଇକୁ ଗୁଳି କରି ହତ୍ୟା କରିବା ଖବର ମଣିଷ ସମାଜକୁ ଲଜ୍ଜିତ କରିଛି ।

ତେବେ ରାଜଧାନୀର ୟୁନିଟ-୪ ଆଇଭିଏମ ୩୮ ନମ୍ବର କ୍ୱାର୍ଟର୍ସ ଆଗରେ ଆଜି ପୋଷା ବିଲେଇକୁ ଗୁଳି ହତ୍ୟା କରାଯାଇଛି । ଘର ବାହାରେ ବିଲେଇକୁ ଗୁଳି ହତ୍ୟା କରାଯାଇଥିବା ମାଲିକ ଅଭିଯୋଗ କରିଛନ୍ତି । ତେବେ ମାଲିକଙ୍କ କହିବା ଅନୁସାରେ ଘର ବାହାରେ ଏକ ଗୁଳି ଫୁଟିବାର ଶବ୍ଦ ଶୁଣି ସେ ବାହାରକୁ ଆସିଥିଲେ । ଆଉ ପାଚେରୀ କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଲେଇ ଛଟପଟ ହେଉଥିବା ଦେଖିଥିଲେ । ଏହାପରେ ତୁରନ୍ତ ବିଲେଇକୁ ପରିବାର ଲୋକେ ଓୟୁଏଟିକୁ ନେଇଥିଲେ । ମାତ୍ର ଅଧିକ ଡେରି ହୋଇଯାଇଥିବାରୁ ରକ୍ତସ୍ରାବ ଯୋଗୁଁ ବାଟରେ ବିଲେଇର ପ୍ରାଣ ବାୟ ଉଡିଯାଇଥିଲା । ଆଉ ବିଲେଇକୁ ମୃତ ଘୋଷଣା କରାଯାଇଥିଲା ।

ସେପଟେ ବାଙ୍ଗାଲୋର ଯାଉଥିବା ସୁଶାନ୍ତ ପଟ୍ଟନାୟକ ପୋଷା ବିଲେଇକୁ ଗୁଳିମାଡ ଶୁଣି ବିମାନ ବନ୍ଦରରୁ ଫେରିଥିଲେ । ଆଉ ପାଖ ପଡୋଶୀ ବିଲେଇର ହତ୍ୟାକାରୀ ବୋଲି ସିଧାସିଧା ଅଭିଯୋଗ କରିଥିଲେ । ଜଣେ ଇଂଜିନିୟରିଂ ଛାତ୍ର ବିଲେକୁ ଗୁଳି କରି ହତ୍ୟା କରିଥିବା ମାଲିକ ଅଭିଯୋଗ କରିଛନ୍ତି । ଆଉ ବିଲେଇ ମୃତଦେହର ଏକ୍ସରେରୁ ଜଣାପଡିଛି ଯେ ବିଲେଇ ମୃତ୍ୟୁ ଗୁଳିମାଡ କାରଣରୁ ହୋଇଛି । ମୁଣ୍ଡରେ ଏକ ଗଭୀର କ୍ଷତ ହିଁ ଗୁଳିମାଡ ଅନୁମାନକୁ ସ୍ପଷ୍ଟ କରିଛି ।

ତେବେ କଣ ପାଇଁ ଜଣେ ଏତେ ନିଷ୍ଠୁରଭାବେ ନିରୀହ ପୋଷା ପ୍ରାଣୀକୁ ଗୁଳି କରି ହତ୍ୟା କରିବ ? ଏ ପ୍ରଶ୍ନ ମନକୁ ଆସୁଥିଲେ ହେଁ ଏହା ପଛରେ ରୁଗ୍ଣ ମାନସିକତା ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଛାତ୍ର ଜଣଙ୍କ ଆଜି ନୁହେଁ ପୂର୍ବରୁ ମଧ୍ୟ ଅନେକ ବୁଲା କୁକୁର, ବିଲେଇ ଓ ଚଢେଇଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେଣୁ ଏ ବିଲେଇକୁ ସେ ହିଁ ମାରିଥାଇ ପାରନ୍ତି ବୋଲି ମାଲିକ କହିଛନ୍ତି ।

ଖାଲି ସେତିକ ନୁହେଁ ବିଲେଇ ମାଲିକ ପିପୁଲ୍ସ ଫର ଆନିମଲ ସଦସ୍ୟଙ୍କୁ ଡାକି ଖାରବେଳେ ନଗର ଥାନାରେ ଏତଲା ମଧ୍ୟ ଦେଇଛନ୍ତି । କିଛି ଦିନ ତଳେ ୪ଟି କୁକୁର ଛୁଆଙ୍କୁ ଜଣେ କ୍ୟାବ ଡ୍ରାଇଭର ଗାଡି ମଡାଇ ମାରିଦେବା ଘଟଣାରେ କ୍ରୁଏଲ ଟୁ ଆନିମଲ ଆକ୍ଟ ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ସେଦିନ ଠାରୁ ଆଜିର ଏକ ଘଟଣା ସବୁ ସୀମା ଟପି ଯାଇଛି । ନିରୀହ ପଶୁକୁ ଗୁଳି କରି ମାରିବା ଘଟଣାରେ ପୋଲିସ ସେ ପିଶାଚରକୁ ଶୀଘ୍ର ବାନ୍ଧୁ ବୋଲି ଦାବି ହୋଇଛି । ଆଉ ସେ ଅମଣିଷର ଚେହେରା ସାମ୍ନାକୁ ଆଣୁ ବୋଲି ସମସ୍ତେ ଦାବି କରିଛନ୍ତି ।

ତେବେ ବିଲେଇକୁ ଗୁଳି କରି ହତ୍ୟା କରିଥିବା ହତ୍ୟାକାରୀକୁ ପୋଲିସ ନବାନ୍ଧିବା ଯାଏଁ ଆମର ଏ ଅଭିଯାନ ଜାରି ରହିବ । ଛାତ୍ର ଜଣଙ୍କ କେଉଁଠୁ ସେ ବନ୍ଧୁକ ଆଣି ଗୁଳି କଲେ? ଉକ୍ତ ବନ୍ଧୁକ ଲାଇସେନ୍ସପ୍ରାପ୍ତ କି ନୁହେଁ? ଯଦି ନୁହେଁ କେଉଁଠୁ ଆସିଲା ବନ୍ଧୁକ ? ଗୁଳି ଯଦି ବିଲେଇ ଦେହରୁ ଖସି ଯାଇ ମଣିଷ ଦେହରେ ବାଜିଥାନ୍ତା ତେବେ କଣ ହୋଇଥାନ୍ତା ପରିସ୍ଥିତି? ପୋଲିସ ଏଭଳି ରୁଗ୍ଣ ମାନସିକତା ଥିବା ହତ୍ୟାକାରୀକୁ ଶୀଘ୍ର ଗିରଫ କରୁ ନହେଲେ ରାତି ପାହିଲେ ଆଉ କିଛି ନିରୀହ ଜନ୍ତୁଙ୍କ ଜୀବନ ଅକାଳରେ ଯାଇପାରେ ।