ପାଣି ପାଇପରେ ଲାଗିଲା ମିଟର କଣ୍ଟା, ଯେତିକି ପିଇବ ସେତିକି ଗଣିବ ଟଙ୍କା । ସହରାଞ୍ଚଳ ପାଇଁ ସରକାର ଆରମ୍ଭ କଲେ ‘ଜଳସାଥୀ’ ଯୋଜନା । 

694

କନକ ବ୍ୟୁରୋ: ଏଣିକି ଯେତିକି ପାଣି ବ୍ୟବହାର କରିବେ ସେତିକି ପଇସା ମଧ୍ୟ ଗଣିବେ । ସହରାଞ୍ଚଳରେ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଭୁବନେଶ୍ୱରରେ ଲାଗିଲା ପାଣି ମିଟର । ଏଣିକି ବ୍ୟବହାର ଅନୁଯାୟୀ ପାଣି ବିଲ୍ ପଇଠ କରିବେ ରାଜଧାନୀବାସୀ । ଏବଂ ରାଜ୍ୟରେ ଜଳସାଥୀ ଆଦାୟ କରିବେ ଜଳକର ବୋଲି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ୱାଟକୋ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନାରେ ‘ମିଶନ ଶକ୍ତି’ର ମହିଳାମାନେ ପୌରାଂଚଳର ଜଳଯୋଗାଣ ଓ ବିଲ ଆଦାୟ ଦାୟିତ୍ୱରେ ରହିବେ । ରାଜ୍ୟର ୧୧୪ଟି ପୌରାଂଚଳରେ ଏହି ବ୍ୟବସ୍ଥା ଲାଗୁ ହେବ । ଜଳର ଗୁଣାବତା ପରୀକ୍ଷା କରିବା ,ଜଳଯୋଗାଣ ସଂସ୍ଥା  ଓ ଉପଭୋକ୍ତାମାନଙ୍କ ମଧ୍ୟରେ ଜଳସାଥୀମାନେ ସେତୁ ଭଳି କାମ କରିବେ । ତେଣୁ ଏହି ଯୋଜନାକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବିଲ୍ ପୈଠକାରୀ ଭାବେ ନବୀନ ନିବାସର ଜଳବିଲ ବାବଦକୁ ୫୯୩ ଟଙ୍କା ପୈଠ କରିଛନ୍ତି ।

ଅନ୍ୟପଟେ ଯୋଜନାକୁ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରିବା ପରେ ଜଳସାଥୀ ମାନଙ୍କୁ ବାର୍ଷିକ ପ୍ରାୟ ୮ କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହା ଦ୍ୱାରା ୧୨ ଲକ୍ଷରୁ ଅଧିକ ପରିବାର ସୁବିଧା ପାଇପାରିବେ । ତେବେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ୫ ହଜାରରୁ ଅଧିକ ଜଳସାଥୀ ସାମିଲ ହେବେ । ଆଉ ଜଳସାଥୀଙ୍କ ହାତରେ ଦୈନିକ ୧୦୦ କୋଟି ଲିଟର ଜଳ ପରିଚାଳନା ଦାୟିତ୍ୱ ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ତେବେ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ଗୋଷ୍ଠୀଭିତ୍ତିକ ସହଭାଗିତା ମାଧ୍ୟମରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସେବା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।