ସବୁଜ ଦିଶିବ ଶ୍ରୀକ୍ଷେତ୍ର ପୁରୀ: ବଡଦାଣ୍ଡର ସୌନ୍ଦର୍ଯ୍ୟ ବଢାଇବାକୁ ଆରମ୍ଭ ହେଲା ଗଛ ଲଗା । ସିଂହଦ୍ୱାର ସହ ଶ୍ରୀମନ୍ଦିର ଚାରିପଟେ ଲାଗିବ ୧୫୦୦ ଗଛ

505

କନକ ବ୍ୟୁରୋ: ସବୁଜ ଦିଶିବ ଶ୍ରୀକ୍ଷେତ୍ର ପୁରୀ । ସୌନ୍ଦର୍ଯ୍ୟ ସହ ସବୁଜିମା ଝଲସିବ ଜଗନ୍ନାଥ ଧାମ । ବଡଦାଣ୍ଡକୁ ବିକାଶ କରିବା ସହ ଏହାର ସୌନ୍ଦର୍ଯ୍ୟକୁ ଦ୍ୱଗୁଣିତ କରିବାକୁ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ଗତ କିିଛି ଦିନ ହେବ ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କରିବାକୁ ପ୍ରକ୍ରିୟା ଚାଲିଛି । ମେଘନାଦ ପାଚେରୀ କଡରୁ ଦୋକାନ ଉଚ୍ଛେଦ ଠାରୁ ଆରମ୍ଭ କରି ମନ୍ଦିର ପାଖରେ ଥିବା ବିଭିନ୍ନ ମଠ ମନ୍ଦିର ଭାଙ୍ଗି ଦେଉଳ ଚାରିପଟ ଚଉଡା କରାଯାଉଛି ।

ତେବେ ଶ୍ରୀମନ୍ଦିର ସାମ୍ନା ଏବଂ ବଡଦାଣ୍ଡକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଆରମ୍ଭ ହୋଇଛି ଗଛଲଗା କାମ । ସୁରକ୍ଷା ଜୋନକୁ ସବୁଜ କରିବାକୁ ପ୍ରଶାସନ ପକ୍ଷରୁ ସେହି ସ୍ଥାନରେ ଗଛ ଲଗା ଆରମ୍ଭ ହୋଇଛି । ତେବେ ରାଜ୍ୟ ବାହାରୁ ଆସିଥିବା ପ୍ରାୟ ୧୫୦୦ରୁ ଅଧିକ ଗଛ କେବଳ ବଡଦାଣ୍ଡ ଓ ଶ୍ରୀମନ୍ଦିର ଚାରିପଟେ ହିଁ ଲାଗିବ । ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଫୁଲଗଛ ସହ ସାଜସଜ୍ଜା ପାଇଁ କ୍ରୋଟନ ଭଳି କିଛି କିସମର ଗଛ ଲଗା ଯାଇଛି ।

ମାଟି କୁଣ୍ଡରେ ଏହି ସବୁ ଗଛକୁ ଲଗାଯାଉଥିବା ବେଳେ ସିଂହଦ୍ୱାର ସାମ୍ନା, ଏମଆର ମଠ ଚକଡା ଏବଂ ନୂଆ ବ୍ୟାରିକେଟରେ ଏହି ଗଛ ସବୁକୁ ଗୋଟିଗୋଟି କରି ଲଗାଯାଉଛି । ତେବେ ଗଛ ସବୁ ବଡ ବଡ ହୋଇଥିବାରୁ ଭକ୍ତମାନେ ଗଛଛାଇ ତଳେ ବସି ପାରିବେ ବୋଲି ସୂଚନା ମିଳିଛି ।
ତେବେ ଆଜି ଠାରୁ ଆରମ୍ଭ ହୋଇଥିବା ଗଛଲଗା କାମ ଆସନ୍ତା ୨୫ ତାରିଖ ସୁଦ୍ଧା ଶେଷ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ କେମିତି ଦିଶିବ ଶ୍ରୀମନ୍ଦିର ସାମ୍ନା ତାର ଏକ ସାଙ୍କେତିକ ଚିତ୍ର ଦେଖାଇଥିଲେ ସରକାର । ଆଉ ସେହି ଅନୁସାରେ ଆଜି ଗଛ ଲଗାଯାଇଛି ।

ସେପଟେ ପଞ୍ଚମ ପାଳିରେ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଅଧିକ ଫୋକସ ଦେଇଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ଓ ଉତ୍କଳର ଐତିହ୍ୟକୁ ଇତିହାସ ହେବାକୁ ନଦେଇ ସବୁଦିନ ପାଇଁ ବଞ୍ଚାଇ ରଖିବାକୁ ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ବଡ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବାର୍ତ୍ତା ବହନ କରୁଥିବା ପ୍ରତ୍ୟେକ ଜିନିଷକୁ ନବୀନ ବଞ୍ଚାଇ ରଖିବାକୁ ପଣ କରିଛନ୍ତି । ଯାହାର ଏକ ଝଲକ ତାଙ୍କ ଟ୍ୱିଟର ପେଜରେ ଦେଖିବାକୁ ମିଳିଥିଲା । ଏକ ବିକାଶର ବିହଙ୍ଗ ପୁରୀ ଆକାଶରେ ଉଡି ଉଡି ବିକାଶର ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଥିଲା ।