ମାଲକାନଗିରିକୁ ଘେରାବନ୍ଦୀ କଲା ବର୍ଷା: ଲଗାଣ ବର୍ଷାରେ କେଉଁଠି ଭାସିଗଲା ପୋଲ ତ ପୁଣି କେଉଁଠି ରାସ୍ତାରେ ଫଶିଗଲେ ରୋଗୀ

୧୭ ହଜାର ଲୋକଙ୍କୁ ୧୮ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କଲା ପ୍ରଶାସନ

227

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଖଇରପୁଟ ବ୍ଲକର ମାଝୀ ଗୁଡା ଗ୍ରାମ ଜଳବନ୍ଦୀ ହେବା ଯୋଗୁଁ ଏହି ଗାଁର ଜଣେ ରୋଗୀ ପାଣି ଘେରରେ ଫଶି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଝୀଗୁଡା ଗାଁର ଗୁରୁ ମାଝୀ ନାମକ ଜଣେ ବ୍ୟକ୍ତି ରୋଗାଗ୍ରସ୍ତ ହୋଇପଡିଥିବାବେଳେ ତାଙ୍କୁ ଚିକିତ୍ସାଳୟକ ନେବା ପାଇଁ ଗ୍ରାମବାସୀମାନେ ଟୋକେଇରେ ବୋହି ବୋହି ଆଣିଥିଲେ । ତେବେ ଗାଁ ମୁଣ୍ଡରେ ଥିବା ପୋଲଟି ଧସି ଯିବାରୁ ରୋଗୀଙ୍କୁ ଆଉ ଆଗକୁ ନେଇପାରିନଥିଲେ ।

 

ମାଲକାନଗିରିକୁ ଘେରାବନ୍ଦୀ କରିଛି ବର୍ଷା । ଚାରିଆଡେ ଖାଲି ପାଣି ଆଉ ପାଣି । ଲଗାଣ ବର୍ଷାରେ ଭାସି ଯାଇଛି ପୋଲ । ଆଉ ଅଧ ରାସ୍ତାରେ ଫଶି ଗଲେ ରୋଗୀ । ଏ ହେଉଛି, ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ମାଝୀଗୁଡା ଗାଁର । ଜଳବନ୍ଦୀ ମାଝୀଗୁଡାର ଗୁରୁ ମାଝୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଚାରିଆଡେ ପାଣି ଭରି ରହିଥିବାରୁ ଗାଁକୁ କୌଣସି ଗାଡି ଆସିପାରନଥିଲା । ଫଳରେ ଗୁରୁଙ୍କ ସଂପର୍କୀୟ ଟୋକେଇ ଭାର କରି ତାଙ୍କୁ ଡାକ୍ତରଖାନାକୁ ନେଉଥିଲେ । ହେଲେ ଗାଁ ମୁଣ୍ଡରେ ଥିବା ପୋଲଟି ବର୍ଷା ପାଣିରେ ଭାସି ଯାଇଥିବାରୁ ରୋଗୀଙ୍କୁ ଆଉ ଆଗକୁ ନେଇପାରିନଥିଲେ ପରିବାର ଲୋକ ।

 

ପୋଲ ଉପରେ ପାଣି । ବାଟରେ ଅଟକିଲେ ପରୀକ୍ଷାର୍ଥୀ ।ଛାତ୍ରଛାତ୍ରୀଙ୍କୁ ପାଣି ପାରି କରାଇଲେ ଅଗ୍ନିଶମ କର୍ମଚାରୀ । ପାଣିର ପ୍ରଖର ସ୍ରୋତକୁ କାଟି ପରୀକ୍ଷାର୍ଥୀଙ୍କୁ ପୋଲ ପାରି କରାଉଛନ୍ତି ଅଗ୍ନିଶମ କର୍ମଚାରୀ । ପ୍ରବଳ ବର୍ଷା ଯୋଗୁଁ ମାଥିଲିରେ ପ୍ରବାହିତ ହେଉଥିବା ନଦୀ ଫୁଲି ଉଠିଛି । ଫଳରେ ପାଙ୍ଗାମ ବ୍ରିଜ୍ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଆଜି ଓଟିଇଟି ପରୀକ୍ଷା ଥିବାବେଳେ ମାଥିଲିରେ ୧୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଆଉ ଏହିସବୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଆସିଥିବା ଶହଶହ ଛାତ୍ରଛାତ୍ରୀ ପାଙ୍ଗାମ ବ୍ରିଜ୍ ପାଖରେ ଅଟକି ରହିଥିଲେ । ମାଥିଲି ଦମକଳ ବାହିନୀ ଛାତ୍ରଛାତ୍ରୀଙ୍କ ପୋଲ ପାରି କରିବା ପରେ ପରୀକ୍ଷାର୍ଥୀ ପ୍ରାୟ ଅଧଘଂଟ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ । କେବଳ ଛାତ୍ରଛାତ୍ରୀ ନୁହେଁ ସେମାନଙ୍କ ଭଳି ବହୁ ଯାତ୍ରୀ ମଧ୍ୟ ମାଥିଲିରେ ଅଟକି ରହିଛନ୍ତି ।

ତେବେ ବର୍ଷା ହେଲେ ମାନେ ବନ୍ୟା ପରିସ୍ଥିତିର ସାମ୍ନା କରୁଥିବା ମାଲକାନଗିରିର ସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି । ବର୍ଷାର ପରିମାଣ ନକମିଲେ ଆଗକୁ ସ୍ଥିତି ଅଣାୟତ ହେବାର ଆଶଙ୍କା ରହିଛି ।