କାଲି ଆସିଲାନି କାଳ ଆସିଲା। ମୃତ୍ୟୁର ଘଣ୍ଟାକ ପୂର୍ବରୁ ହରିଶ୍ ସାଲଭେଙ୍କୁ ଆସି ନିଜ ଫି’ ନେଇଯିବାକୁ କହିଥିଲେ ସୁଷମା ସ୍ୱରାଜ ।

ଗୋଟିଏ ଟଙ୍କାରେ କୁଳଭୂଷଣ ମାମଲା ଲଢିଥିଲେ ସାଲଭେ

1,155

କନକ ବ୍ୟୁରୋ: ସୁଷମା ସ୍ୱରାଜଙ୍କ ପରଲୋକ ସହ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ଯେକୌଣସି ସମ୍ବେଦନଶୀଳ ବ୍ୟକ୍ତିକୁ ଦୋହଲାଇ ଦେବ । ମୃତ୍ୟୁର ଠିକ୍ ଘଂଟାକ ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା ସ୍ୱରାଜ । ଇଂଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ- ଆଇସିଜେରେ କୁଲଭୂଷଣଙ୍କ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ସହ କଥା ହୋଇଥିଲେ ସୁଷମା । ମଙ୍ଗଳବାର ରାତି ପ୍ରାୟ ୮ଟା ୫୦ରେ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା ।

ସୁଷମା ସ୍ୱରାଜ

‘ହେଲୋ ହରିଶ ଜୀ । ଆପଣଙ୍କୁ କାଲି ଆସି ମୋତେ ଭେଟିବାକୁ ପଡିବ । ଆପଣ ଜିତିଥିବା କେସ ପାଇଁ ମୋର ଟଙ୍କାଟିଏ ଦେବାର ଅଛି । କାଲି ସଂଧ୍ୟା ୬ଟାରେ ଆସନ୍ତୁ ।’

ହରିଶ ସାଲଭେ
‘ନିଶ୍ଚୟ । ମୋର ବହୁମୂଲ୍ୟ ଟଙ୍କାଟିଏ ନେବା ପାଇଁ ମୁଁ ନିଶ୍ଚୟ ଯିବି ।’

 

ପାକିସ୍ତାନ ଜେଲରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ମାମଲା ଅନ୍ତର୍ଜାତୀୟ କୋର୍ଟ ଆଇସିଜେରେ ଲଢୁଛନ୍ତି ହରିଶ ସାଲଭେ । ଯେଉଁଥିପାଇଁ ସେ କେବଳ ସାଂକେତିକ ଭାବେ ୧ ଟଙ୍କା ଫିସ୍ ନିଅନ୍ତି । ଆଉ କିଛିଦିନ ତଳେ ଆଇସିଜେଙ୍କ ନିର୍ଦ୍ଦେଶ ଫଳରେ କୁଲଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ୍ ଲାଗିଛି । ଏଥିସହ ତାଙ୍କୁ ଭାରତୀୟ ଦୂତାବାସର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି । ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ପ୍ରୟାସ ଯୋଗୁଁ ହିଁ ଏହା ସମ୍ଭବ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ସୁଷମା । ହେଲେ ଏହାପରେ ହୃଦଘାତରେ ତାଙ୍କର ଦିଲ୍ଲୀ ଏମ୍ସରେ ଦେହାନ୍ତ ହୋଇଥିଲା ।

କୁଲଭୂଷଣ ମାମଲାକୁ ଆଇସିଜେରେ ପହଂଚାଇବା ସହ ପାକିସ୍ତାନ ଜେଲରେ ବନ୍ଦୀ ଏହି ଭାରତୀୟ ନାଗରିକଙ୍କୁ ଫାଶୀ ଖୁଂଟରୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ପୁର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ନୂଆଦିଲ୍ଲୀର ଅନ୍ତର୍ଜାତୀୟ ଚାପ ଫଳରେ ପାକିସ୍ତାନର ସାମରିକ କୋର୍ଟ କୁଲଭୂଷଣଙ୍କୁ ଫାଶୀ ଦଣ୍ଡାଦେଶ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିପାରି ନାହିଁ । ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଆକସ୍ମିକ ଦେହାନ୍ତକୁ କେହି ଗ୍ରହଣ କରିପାରୁ ନଥିବାବେଳେ ମୃତ୍ୟୁର ମାତ୍ର ଘଂଟାଏ ପୁର୍ବରୁ କଥା ହୋଇଥିବା ହରିଶ ସାଲଭେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି ।