ଜାମ୍ମୁକାଶ୍ମୀରରେ କାହିଁକି ସାଧାରଣ ଲୋକଙ୍କୁ ମାରୁଛନ୍ତି ଆତଙ୍କୀ ? ଯାଞ୍ଚ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ।

107

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଜାରି ରହିଛି ଆତଙ୍କରାଜ । ଆତଙ୍କବାଦୀମାନେ ଏବେ ସେନାଙ୍କୁ ନୁହେଁ ବରଂ ସାଧାରଣ ଲୋକଙ୍କୁ କରୁଛନ୍ତି ହତ୍ୟା । ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ୍ । ଗତ କିଛି ଦିନ ଭିତରେ ୧୧ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରି ସାରିଲେଣି ଆତଙ୍କୀ । ଘାଟିରେ ଆତଙ୍କରାଜର ଏହି ପରିସ୍ଥିତିର ତଦନ୍ତ ପାଇଁ ଏନଆଇଏକୁ ଦାୟିତ୍ୱ ଦିଆଯାଇଛି । ସେପଟେ ଘାଟିରେ ଏବେ ବି ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍ । ଭାରତୀୟ ସ୍ଥଳସେନା ସହ ସିଆରପିଏଫ ଯବାନ ମଧ୍ୟ ଆତଙ୍କୀ ନିରୋଧି କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି ।

ଜାମ୍ମୁକାଶ୍ମୀରରେ ଆତଙ୍କରାଜ । ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା । ଘାଟିରେ ବଢି ବଢି ଚାଲିଛି ଆତଙ୍କରାଜ । ଜମ୍ମୁ-କାଶ୍ମୀରରେ ଗତ କିଛିଦିନ ହେବ ଆତଙ୍କୀ ଗତିବିଧି ବେଶ ସକ୍ରିୟ ହୋଇ ଉଠିଛି । ବିଶେଷ କରି ହିନ୍ଦୁ ଲୋକଙ୍କୁ ଟାର୍ଗେଟ୍ କରି ହତ୍ୟା କରୁଛନ୍ତି ଆତଙ୍କବାଦୀ । ଗତ ୧୫ ଦିନ ଭିତରେ ୧୧ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିସାରିଲେଣି ଆତଙ୍କୀ ।

ଘାଟିରେ ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକଳାପ ଦେଖି ଏହା ପଛରେ କିଛି ବଡ ଧରଣର ଷଡଯନ୍ତ୍ର ଥିବା ଆଶଙ୍କା କରାଯାଉଛି । ଯାହାକୁ ନେଇ ଏହି ଘଟଣାର ତଦନ୍ତ ଭାର ଏନଆଇଏକୁ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ପ୍ରଥମେ ଗତ ୫ ତାରିଖରେ ଶ୍ରୀନଗରରେ ହୋଇଥିବା କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା । ଏହାପରେ ଗୋଟିଏ ପରେ ଗୋଟିଏ ହତ୍ୟା ଘଟଣାର ଅନୁସନ୍ଧାନ କରିବ ।

ସେପଟେ ଘାଟିରେ ବଢୁଥିବା ଆତଙ୍କରାଜ ଦେଖି ସିଆରପିଏଫକୁ ସତର୍କ କରାଯାଇଛି । ଭାରତୀୟ ସ୍ଥଳସେନା ସହ ମିଶି ବିଭିନ୍ନ ସ୍ଥାନରେ ଛାପା ମାରୁଛନ୍ତି ସିଆରପିଏଫ ଯବାନ । ଶ୍ରୀନଗରରେ ଜାତୀୟ ରାଜପଥରେ ବ୍ୟାରିକେଟ୍ କରି ଗୋଟି ଗୋଟି କରି ଗାଡି ଯାଞ୍ଚ କରାଯାଉଛି । ସେହିପରି ଘର ଘର ବୁଲି ଆତଙ୍କୀ ଗତିବିଧି ନେଇ ଯାଞ୍ଚ କରୁଛନ୍ତି ସିଆରପିଏଫ ଯବାନ । ସେପଟେ ପୁଞ୍ଚ୍ ସେକ୍ଟରରେ ଏବେ ବି ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ସେପଟେ ଘାଟିରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ନେଇ ଆସନ୍ତା ୨୩ ତାରିଖ ଜମ୍ମୁ-କାଶ୍ମୀର ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଜମ୍ମୁ-କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀ ଗତିବିଧି ବଢିଯାଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢି ଯାଇଛି । ଫଳରେ ଏବେ ସ୍ଥିତିର ଯାଞ୍ଚ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଛି ।