ଦୀଘାରେ ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ : ପ୍ରଭାବରେ ଆଜି ବି ଭୀଷଣ ବର୍ଷିବ, ଅରେଞ୍ଜ ୱାର୍ଣ୍ଣିଂ ଜାରି  

315

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ତୀବ୍ର ଅବପାତର ରୂପ ନେଇ ସ୍ଥଳ ଭାଗ ଛୁଇଁଛି । ଶୁକ୍ରବାର ସଂଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରି ପଶ୍ଚିମବଙ୍ଗ ମୁହାଁ ହୋଇଛି । ଏହାର ପ୍ରଭାବରେ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ସେହିପରି ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଅତି ଭୀଷଣ ବର୍ଷା ହୋଇଛି । ଗଭୀର ଅବପାତଟି ସ୍ଥଳଭାଗ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ମୁହାଁ ହେବ । ଆଉ ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି ।

ଏହାର ପ୍ରଭାବରେ ଆଜି ମଧ୍ୟ ଉତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତିକୁ ଜୋରଦାର କରିଛି ପ୍ରଶାସନ । ଉଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରକୁ ଅତିରିକ୍ତ ଉଦ୍ଧାରକାରୀ ଟିମ୍ ପଠାଯାଇଛି । ବାଲେଶ୍ୱରର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା ଓ ବୁଢ଼ାବଳଙ୍ଗ ନଦୀ ଉପରେ ନଜର ରଖାଯାଇଛି । ତେବେ ମହାନଦୀ ବେସନ୍ ଉପରେ ବିପଦର ଆଶଙ୍କା ନାହିଁ । ବର୍ଷା ଯୋଗୁଁ ତେଲ୍ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ତେବେ ମହାନଦୀ ଓ ଏହାର ଶାଖାନଦୀରେ ଜଳସ୍ତର କମିବାରେ ଲାଗିଛି । ଦୁଇ ଦିନ ଧରି କୌଣସି ସ୍ଥାନରେ ନୂଆ ଘାଇ ହୋଇନାହିଁ । ସେହିପରି ଲଘୁଚାପ ପ୍ରଭାବରେ ଦୀଘା ସମେତ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି ।