କଂଗ୍ରେସ ନେତା ଉଦିତ ରାଜଙ୍କୁ ବିରୋଧ: ପୋଷ୍ଟର ଚିରିଲା, ପ୍ରତିବାଦ କଲା ବିଜେପି

83

କନକ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଉଦିତ୍ ରାଜଙ୍କୁ ଜୋରଦାର ବିରୋଧ । ରାଉରକେଲାରେ ବିଜେପି ପକ୍ଷରୁ ଉଦିତ ରାଜଙ୍କୁ ବିରୋଧ କରାଯାଇଛି । ରବିବାର ଉଦିତ୍ ରାଜ ରାଉରକେଲା ଗସ୍ତରେ ଥିବାବେଳେ ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ତାଙ୍କର ବଡ଼ ବଡ଼ ପୋଷ୍ଟର ଲଗା ଯାଇଥିଲା । ତେବେ ଏହାକୁ ବିରୋଧ କରି ଜିଲ୍ଲା ବିଜେପି କର୍ମୀମାନେ ଉଦିତ୍ ରାଜଙ୍କ ପୋଷ୍ଟର ଚିରିବା ସହ ଜୋରଦାର ପ୍ରତିବାଦ କରିଥିଲେ । ରାଷ୍ଟ୍ରପତିଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଉଦିତ୍ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।

ଗୁଜରାଟ ଗସ୍ତରେ ଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଲୁଣ’ ମନ୍ତବ୍ୟକୁ ସମାଲୋଚନା କରିଥିଲେ ଉଦିତ ରାଜ । ଟ୍ୱିଟ କରି ଲେଖିଥିଲେ, ଏମିତି ରାଷ୍ଟ୍ରପତି ଆଉ କେଉଁ ଦେଶକୁ ନମିଳୁ । ଆନୁଗତ୍ୟର ବି ଗୋଟିଏ ସୀମା ଥାଏ । ଦେଶର ୭୦ପ୍ରତିଶତ ଲୋକ ଲୁଣ ଖାଇ ବଂଚୁଛନ୍ତି, ନିଜେ ଲୁଣ ଖାଇ ଜୀବନ ବିତାଇଲେ ଜଣାପଡିବ ବୋଲି ଲେଖିଥିଲେି ଉଦିତ ରାଜ । ତେବେ ବିବାଦ ତେଜିବା ପରେ ଉଦିତ୍ ମତ ବଦଳାଇ କହିଥିଲେ ଯେ ଏହା ତାଙ୍କର ବ୍ୟକ୍ତିଗତ ମତ ଥିଲା । କଂଗ୍ରେସ ଦଳ ସହିତ ଏହାର କୌଣସି ସଂପର୍କ ନାହିଁ । ବିଜେପିର ପ୍ରତିବାଦ ପରେ ପୁଣିଥରେ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଏହି ନେତା ।

ନିକଟରେ ଗୁଜୁରାଟ ଗସ୍ତରେ ଯାଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୁଣ ଉତ୍ପାଦନ ପ୍ରସଙ୍ଗରେ ଏହି ଭାଷଣ ଦେଇଥିଲେ । କହିଥିଲେ, ଦେଶର ୭୬ ପ୍ରତିଶତ ଲୁଣ ଗୁଜରାଟ ଉତ୍ପାଦନ କରୁଛି । କହିବାକୁ ଗଲେ ସବୁ ଦେଶବାସୀ ଗୁଜରାଟର ଲୁଣ ଖାଉଛନ୍ତି । ଯାହାକୁ କଂଗ୍ରେସ ନେତା ଉଦିତ ରାଜ ସହଜରେ ଗ୍ରହଣ କରିପାରି ନଥିଲେ । ଉଦିତଙ୍କ ପୂର୍ବରୁ କଂଗ୍ରେସ ସାଂସଦ ଅଧିର ରଞନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହିଥିଲେ । ଯାହାକୁ ନେଇ ବିବାଦ ପରେ ପାର୍ଟିରୁ ଭୁଲରେ କଥା ଖସି ଯାଇଥିଲା ବୋଲି ସଫେଇ ରଖିଥିଲେ ଅଧୀର । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ ।