ସୁବାଷ ପାଣିଗ୍ରାହୀ କ୍ଷମା ମାଗିବେ ନାହିଁ ବରଂ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ।  ଟିକା ନେଇଛନ୍ତି, ଦମର ସହ ବିଧାନସଭାକୁ ଆସିବା କଥା ମୁଖ୍ୟମନ୍ତ୍ରୀ । କାହିଁକି ଏମିତି କହିଲେ ବିରୋଧୀ ଦଳ ନେତା ?

228

କନକ ବ୍ୟୁରୋ : ପୁଣି  ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ।  ଗୃହର ମଧ୍ୟଭାଗକୁ ଆସି ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ହଟ୍ଟଗୋଳ ପରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି । ଆଉ ଏହାଫଳରେ ଗୃହରେ ଅଚଳାବସ୍ଥା ଏଯାଏଁ ଜାରି ରହିଛି ।

ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ଆରମ୍ଭରୁ ଆଦୌ ଚାଲିପାରିନାହିଁ ଗୃହ କାର୍ଯ୍ୟ । ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଭିତରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସରକାରୀ ଦଳକୁ ବଡ଼ ପ୍ରସଙ୍ଗ ଯୋଗାଇ ଦେଇଛି । ବିଧାନସଭାର ପ୍ରବିତ୍ର ଗୃହ ଭିତରେ ବିଧାୟକ କାହିଁକି ସାନିଟାଇଜର ପିଇଲେ ତାକୁ ପ୍ରସଙ୍ଗ କରି ବିଜେପି ବିରୋଧରେ ନାରାବାଜି କରିଛି ଶାସକ ବିଜେଡି । ଗୃହ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବାରୁ ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କରୁଛି ବିଜେଡି । ତେଣୁ ଏହିପ୍ରସଙ୍ଗରେ ଆଜି ଗୃହରେ ପୁଣି  ହଟଗୋଳ କରିଛି ବିଜେଡି । ବିରୋଧୀ ମଧ୍ୟ ମଣ୍ଡି ଓ ଚାଷୀ ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସୁବାଷ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ । ଘରେ ବସି କୌଣସି ବିଧାନସଭାର କାର୍ଯ୍ୟ ହୋଇପାରିବନି । ମୁଖ୍ୟମନ୍ତ୍ରୀ ସବୁ ସ୍ଥାନକୁ ଯାଉଛନ୍ତି, କିନ୍ତୁ ବିଧାନସଭାକୁ ଆସୁନାହାନ୍ତି । ଏଥିରେ କଣ ଗଣତନ୍ତ୍ରର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ଏପରିକି ଗୃହର ମଧ୍ୟଭାଗକୁ ଆସି ମନ୍ତ୍ରୀମାନେ ହଟ୍ଟଗୋଳ କରିଥିବାରୁ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ପ୍ରଦୀପ୍ତ । ସେହିଭଳି ଗୃହ ବାହାରେ ବାଚସ୍ପତିଙ୍କର କୌଣସି ଟିପ୍ପଣୀ ଦେବାର ନୈତିକ ଅଧିକାର ନାହିଁ କିନ୍ତୁ ସେ ପଦମର୍ଯ୍ୟାଦା ଭୁଲି ଯାଇ ବିଜେଡିର କର୍ମୀ ଭାବେ ନିଜକୁ ବ୍ୟବହାର କରୁଛନ୍ତି । ସର୍ବଦଳୀୟ ବୈଠକ ଡାକି ଗୃହ ଚଲାଇବା ପାଇଁ ବାଟ ଖୋଜିବାକୁ ହୁଏ ବୋଲି କହିଛନ୍ତି ପ୍ରଦୀପ୍ତ । କଣ୍ଟିଜେନ ଫଣ୍ଡରୁ କାଳିଆ ଯୋଜନା ପାଇଁ ଟଙ୍କା ନେଇ ବଣ୍ଟାହେଉଛି, ଧାନ କାହିଁକି କିଣାଯାଇପାରିବନି । ଏହା କେବଳ ଏକ ବାହାନା, ସେଥିପାଇଁ ନବୀନ ବାବୁ କ୍ଷମା ମାଗିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଦୀପ୍ତ ।

ସେହିଭଳି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଗରିବ ଲୋକଙ୍କ ଟିକସରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅଧିବେଶନ ହେଉଥିଲେ ମଧ୍ୟ ଗୃହ ଚାଲୁନାହିଁ । ଜାଣିଶୁଣି ଉଭୟ ବିଜେପି-ବିଜେଡି ଗୃହ ଚଲାଇ ଦେଉନାହାନ୍ତି । ତେଣୁ ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକି  ଏ ବାବଦରେ ଆଲୋଚନା ସହ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ତାରା ।