ବଲାଙ୍ଗୀର ଜଙ୍ଗଲରୁ କାଠ ଚୋରୀ କରୁଛନ୍ତି ସମ୍ବଲପୁର ମାଫିଆ : କାଠ ବୋଝେଇ ଗାଡି ଜବତ ପରେ ଉଠିଲା ପ୍ରଶ୍ନ; କାଠ ଚୋରୀ ପାଇଁ ଜଙ୍ଗଲରେ ଲାଗୁଛି କି ନିଆଁ

67

କନକ ବ୍ୟୁରୋ : ସୁନ୍ଦର ତୃପ୍ତିର ଅବସାଦ ନାହିଁ..ଏକଦା ଏହ ଉକ୍ତିର ଯଥାର୍ଥତା ଥିଲା , ହେଲେ ଏବେ ଏହି ଉକ୍ତି ଭୁଲ ହେବାକୁ ଲାଗିଛି, କାରଣ ଲୋଭି ଓ ସ୍ୱାର୍ଥପର ମଣିଷର ଲୋଲୁପ ଦୃଷ୍ଟିରେ ପଡି ନଷ୍ଟ ହେଉଛି ବଣ ଜଙ୍ଗଲ । ବିପଦରେ ପଡୁଛନ୍ତି ବନ୍ୟ ଜନ୍ତୁ । ବିଗତ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ ଲାଗିଛି । ଆଉ ଏହାରି ଭିତରେ ଜଙ୍ଗଲକୁ ସଫା କରିବାରେ ଲାଗିଛନ୍ତି କାଠ ମାଫିଆ ।

ବଲାଙ୍ଗୀରରୁ ଆସିଥିବା ଅଭିଯୋଗ ଅନୁସାରେ, ଜଙ୍ଗଲ ପୋଡୁଛି ନା ପୋଡି ଦିଆଯାଉଛି ? ତାହା ଏବେ ସବୁଠୁ ବଡ ପ୍ରଶ୍ନ । ସମ୍ବଲପୁରର ମାଫିଆ ବଲାଙ୍ଗିର ଜଙ୍ଗଲରୁ କାଠ ଚୋରି କରୁଥବା କଥା ସାମ୍ନାକୁ ଆସିଛି । ତାହା ପୁଣି ଜଙ୍ଗଲରେ ବିପତ୍ତି ପଡିଥିବା ବେଳେ । କାଠ ମାଫିଆମାନେ ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ ଗଣ୍ଡି ଚୋରି କରି ନେଉଛନ୍ତି । ଆଉ କାଠ ବୋଝେଇ ଗାଡି ଗୁଡିକୁ ଏସ୍କଟ ଦେବା ସମୟରେ ଜଙ୍ଗଲ ବିଭାଗ ହାତରେ ଧରା ପଡିଛି ଏକ୍ସୟୁଭି ଭଳି ଦାମି ଗାଡି ।

ଆଗରୁ ଅଭିଯୋଗ ହେଉଥିଲା, କେନ୍ଦୁପତ୍ର ଓ ମହୁଲ ପାଇଁ ଜଙ୍ଗଲରେ ନିଆଁ ଲଗାଯାଉଛି । କିନ୍ତୁ ଏବେ ଅଭିଯୋଗ ଆସିଛି କମ ସଂଖ୍ୟକ ବନ କର୍ମଚାରୀଥିବାରୁ ଫାଇଦା ନେଇ ଏହି ମାଫିଆମାନେ ଜଙ୍ଗଲରେ ଜାଣିଶୁଣି ନିଆଁ ଲାଗାଇ ଜଙ୍ଗଲ ସଫା କରାଯାଉଛି । ଖୋଦ୍ ବନବଭାଗ ତରଫରୁ ଏଭଳି କୁହାଯାଉଛି । ଏବଂ ଏଥିରେ କିଛି ବନବିଭାଗର କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି ।

ସେପଟେ, ଖୁବଶୀଘ୍ର ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରାରମ୍ଭିକ ରିପୋର୍ଟ ଦେବ ଟାସ୍କ ଫୋର୍ସ । ରିପୋର୍ଟରେ ନିଆଁକୁ ରୋକିବାକୁ ପଦକ୍ଷେପ ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦିଆଯିବ । ରାଜ୍ୟରେ କେଉଁ ଅଂଚଳରେ ବା ଜଙ୍ଗଲରେ ପ୍ରତିବର୍ଷ ବାରମ୍ବାର ନିଆଁ ଲାଗୁଛି ତାର ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି । ରାଜ୍ୟର ୨୬ ହଜାର ୫ଶହ ଗାଆଁ ଜଙ୍ଗଲ ଆଖପାଖରେ ଅଛି । ଏଥିରୁ ୫ ହଜାର ଗାଁ ନିଆଁ ପ୍ରବଣ ବୋଲି ଜଣାପଡିଛି । ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗାଁଗୁଡିକୁ ପ୍ରୋତ୍ସାହନ ଦିଆଗଲେ ସେମାନେ ହିଁ ଜଙ୍ଗଲ ସୁରକ୍ଷାର ପ୍ରମୁଖ ମାଧ୍ୟମ ସାଜିବେ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।