ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ : ସପ୍ତାହରେ ଦେଢଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

396

କନକ ବ୍ୟୁରୋ : ପୁଣି ଥରେ କରୋନା ସଂକ୍ରମଣ ଦିନକୁ ଦିନ ଯେପରି କାୟା ମେଲାଉଛି, ଦ୍ୱିତୀୟ ଲହରର ଭୟ ସେତିକି ବଢ଼ିବାରେ ଲାଗିଛି । ଦିନକରେ ଦେଶରେ ୨୬ ହଜାର ୨୯୧ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି  । ମାର୍ଚ୍ଚ ୧୩ରେ- ୨୪ ହଜାର ୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ମାର୍ଚ୍ଚ ୧୨ରେ ଏହି ସଂଖ୍ୟା ଥିଲା ୨୩ ହଜାର ୨୮୫ । ଗତ ୨୪ ଘଂଟା ଭିତରେ ଯେତିକି ମାମଲା ଆସିଛି, ତାହା ୮୫ ଦିନ ମଧ୍ୟରେ ସର୍ବାଧିକ । ଗତବର୍ଷ ଡିସେମ୍ବର ୨୦ ତାରିଖ ପରେ ଏହା ହେଉଛି ସବୁଠୁ ଅଧିକ ଦୈନିକ ସଂକ୍ରମଣ ।

ଚିନ୍ତାର ବିଷୟ ହେଉଛି, ଗତ ଗୋଟିଏ ସପ୍ତାହରେ କରୋନା ସଂକ୍ରମଣ ମାମଲା ପୂର୍ବ ସପ୍ତାହ ତୁଳନାରେ ୩୩ ପ୍ରତିଶତ ବଢିଛି । ରବିବାର ଶେଷ ହୋଇଥିବା ସପ୍ତାହରେ ଦେଢଲକ୍ଷରୁ ଅଧିକ ମାମଲା ରେକର୍ଡ କରାଯାଇଛି । ଏହି ସମୟରେ କରୋନା ଜନିତ ମୃତ୍ୟୁ ମାମଲାରେ ୨୮ ପ୍ରତିଶତ ବୃଦ୍ଧି ହୋଇଛି । ଯାହା ଗତ ୬ ସପ୍ତାହରେ ସର୍ବାଧିକ । ଗତ ୨୪ ଘଂଟାରେ କରୋନାରେ ପ୍ରାଣ ହରାଇଛନ୍ତି ୧୧୮ ଜଣ । ତେବେ ଗତ ଗୋଟିଏ ସପ୍ତାହରେ ୮୮୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ଏବେ ଯଦି ସାପ୍ତାହିକ କରୋନା ସଂକ୍ରମଣକୁ ବିଚାର କରିବା, ଫେବ୍ରୁଆରୀ ମଧ୍ୟ ଭାଗରୁ ଦେଶରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫେବ୍ରୁଆରୀ ୮ରୁ ୧୪ ଗୋଟିଏ ସପ୍ତାହରେ ଦେଶରେ ୭୭ ହଜାର ୨୮୪ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ଯାହା ଗତବର୍ଷ ସେପ୍ଟେମ୍ବର ପରେ ଥିଲା ସର୍ବନିମ୍ନ । ହେଲେ ଏହାପରଠାରୁ କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ ।

ବିଶେଷ କରି ମାର୍ଚ୍ଚ ଆରମ୍ଭରୁ ଦ୍ରୁତ ବେଗରେ ବଢୁଛି ସଂକ୍ରମଣ ମାମଲା । ମାର୍ଚ୍ଚ ପ୍ରଥମ ସପ୍ତାହ ଅର୍ଥାତ ୧ରୁ ୭ ତାରିଖ ମଧ୍ୟରେ ଦେଶରେ ୧ ଲକ୍ଷ ୧୭ ହଜାର ୧୯୮ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଯାହା ଗତ ୬ ସପ୍ତାହରେ ଥିଲା ସର୍ବାଧିକ । ସେହିପରି ମାର୍ଚ୍ଚ ୮ରୁ ୧୪ ତାରିଖ ଗୋଟିଏ ସପ୍ତାହରେ ଦେଶରେ ୧ ଲକ୍ଷ ୫୫ ହଜାର ୯୦୯ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ଏହା ମଧ୍ୟ ଗତ ୧୨ ସପ୍ତାହରେ ସର୍ବାଧିକ । ଗୋଟିଏ ସପ୍ତାହରେ ଦେଢଲକ୍ଷରୁ ଅଧିକ କରୋନା ସଂକ୍ରମିତ ହେବା ଦେଶରେ ଦ୍ୱିତୀୟ ଲହର ଆରମ୍ଭ ହେବା ନେଇ ଭୟ ବଢାଇ ଦେଇଛି ।

ଏହି ସମୟ ମଧ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ଚଳିତବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ପ୍ରଥମ ସପ୍ତାହରେ କରୋନା ଜନିତ ମୃତ୍ୟୁ ୧ ହଜାରରୁ ଅଧିକ ରହିଥିଲା । ହେଲେ ଫେବ୍ରୁଆରୀ ବେଳକୁ ଏହା ଅଧା ହୋଇଯାଇଥିଲା । ଫେବ୍ରୁଆରୀ ପ୍ରଥମ ସପ୍ତାହ ଅର୍ଥାତ ୧ରୁ ୭ ଫେବ୍ରୁଆରୀ ଗୋଟିଏ ସପ୍ତାହରେ ୬୮୦ ଜଣଙ୍କର କରୋନାରେ ମୃତ୍ୟୁ ରେକର୍ଡ କରାଯାଇଥିଲା । ସେହିପରି ପରବର୍ତୀ ସପ୍ତାହରେ ଏହା ଥିଲା ୬୫୦ । ଫେବ୍ରୁଆରୀ ତୃତୀୟ ସପ୍ତାହରେ ମଧ୍ୟ ୬୬୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।

ଫେବ୍ରୁଆରୀ ୨୨ରୁ ୨୮ ମଧ୍ୟରେ ଏହି ସଂଖ୍ୟା ସାମାନ୍ୟ ବଢିବା ଆରମ୍ଭ କଲା । ଏହି ସସ୍ତାହରେ ସାରା ଦେଶରେ ମୋଟ୍ ୭୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ମାର୍ଚ୍ଚ ଆରମ୍ଭରୁ କରୋନା ମୃତ୍ୟୁ ସାମାନ୍ୟ କମି ପୁଣି ଦ୍ୱିତୀୟ ସପ୍ତାହ ବେଳକୁ ଏଥିରେ ଉନ୍ନତି ହୋଇଛି । ଅର୍ଥାତ ମାର୍ଚ୍ଚ ୮ରୁ ୧୪ ଗୋଟିଏ ସପ୍ତାହରେ ସାରାଦେଶରେ ୮୮୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜାନୁଆରୀ ଶେଷ ସପ୍ତାହ ବେଳକୁ ଏହି ହାରରେ କରୋନା ମୃତ୍ୟୁ ରେକର୍ଡ କରାଯାଇଥିଲା ।