ଦୁର୍ଘଟଣା ପରେ ବି ହାରି ନାହାନ୍ତି ହାଟଡିହିର ଗୌରାଙ୍ଗ ନାୟକ : ଗୋଟିଏ ଗୋଡରେ ଅଟୋ ଚଳାଇ ୫ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର ଦେଉଛନ୍ତି

378

କନକ ବ୍ୟୁରୋ : ଦୁର୍ଘଟଣା ପରେ ବି ହାରି ନାହାନ୍ତି ହାଟଡିହିର ଗୌରାଙ୍ଗ ନାୟକ । ଦୁର୍ଘଟଣା ଗୋଡ଼ ନେଇଗଲା ସିନା ମନୋବଳ ତ ନେଇନି । ଗୋଟିଏ ଗୋଡ କଟି ଯିବା ପରେ ଆଉ ଗୋଟିଏ ଗୋଡରେ ଅଟୋ ଚଳାଇ ୫ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର ଦେଉଛନ୍ତି ଗୌରାଙ୍ଗ । ଦିବ୍ୟାଙ୍ଗ ହୋଇ ବି ନିଜ ପରିବାର ବୋଝ ନିଜେ ମୁଣ୍ଡାଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ଗୌରାଙ୍ଗ ।

ଗୋଡ଼ ହରାଇଛନ୍ତି, ହେଲେ ନିଜେ ହାରିନାହାନ୍ତି ! ପରିବାର ବୋଝକୁ ମୁଣ୍ଡାଇ ଚାଲିବାକୁ ସଂଘର୍ଷ ଜାରି ରଖିଛନ୍ତି । ସବୁ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରି ଆଗକୁ ବଢିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ।’ ଏମିତି କିଛି ଆତ୍ମବିଶ୍ୱାସକୁ ନେଇ ଗୋଟିଏ ଗୋଡରେ ଠିଆ ହେବା ପାଇଁ ଚେଷ୍ଟା କରୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡିଅଁର ଗାଁର ଗୌରାଙ୍ଗ ନାୟକ ।

ହାଟଡିହି ବ୍ଲକ ଶାଳଣିଆ ବଜାରରେ ଅଟୋ ଚଳାଉଛନ୍ତି ଦିବ୍ୟାଙ୍ଗ ଗୌରାଙ୍ଗ । ଟ୍ରକ ଡ୍ରାଇଭର ଭାବେ କାମ କରୁଥିବା ଗୌରାଙ୍ଗ ୨୦୧୨ ଏକ ଦୁର୍ଘଟଣାର ସାମ୍ନା କରି ଗୋଟିଏ ଗୋଡ ହରାଇ ପ୍ରାୟ ୬ ବର୍ଷ ଧରି ବିଛଣାରେ ପଡି ଛଟପଟ୍ ହେଉଥିଲେ । ପରିବାର ଲୋକ ପେଟକୁ ଦାନ ନପାଇ ଦୁର୍ଦ୍ଦିନରେ ଦିନ କାଟୁଥିଲେ । ଆଉ ଏବେ ଡିଅଁର ଗାଁର କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ଗୋଟିଏ କୃତ୍ରିମ ଗୋଡ ଲଗାଇବା ସହ ଅଟୋ କିଣି ଗୌରାଙ୍ଗ ପରିବାର ପାଇଁ ଦାନା ଯୋଗାଡ କରୁଛନ୍ତି । ସରକାରୀଙ୍କ ଆବାସ ଯୋଜନାରୁ ବଂଚିତ ଗୌରାଙ୍ଗଙ୍କୁ ସୁବିଧା ସୁଯୋଗ ମିଳିଲେ ତାଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ ଆଶା ରଖିଛନ୍ତି ।