ଡିଡିସିଏର ବଡ ନିଷ୍ପତି, ବଦଳିବ ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାଁ । ଅରୁଣ ଜେଟଲୀଙ୍କ ନାଁରେ ନାମିତ ହେବ ଏହି ଷ୍ଟାଡିୟମ

295

ବଦଳିବ ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାଁ । ଏଣିକି ଫିରୋଜ ଶାହା କୋଟଲା ଷ୍ଟାଡିୟମ ଅରୁଣ ଜେଟଲି ଷ୍ଟାଡିୟମ ନାଁରେ ନୂଆ ପରିଚୟ ପାଇବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଦିଲ୍ଲୀ କ୍ରିକେଟ ଆସୋସିଏସନ ବା ଡିଡିସିଏ । ପୂର୍ବରୁ ଡିଡିସିଏର ଅଧ୍ୟକ୍ଷ ରହିଥିବା ଅରୁଣଙ୍କ ନାଁରେ ଏହି ଷ୍ଟାଡିୟମକୁ ନାମିତ କରିବାକୁ ନିଷ୍ପତି ନିଆଯାଇଛି ।

ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଷ୍ଟାଡିୟମର ନାମକରଣ ସମାରୋହ ଆୟୋଜିତ କରାଯିବ । କେବଳ ଷ୍ଟାଡିୟମର ନାଁ ଅରୁଣଙ୍କ ନାଁରେ ନାମିତ ହେବ କିନ୍ତୁ ପଡିଆର ନାଁ ପୂର୍ବଭଳି ଫିରୋଜ ଶାହା କୋଟଲା ରହିବ । ଏହାଛଡା ଷ୍ଟାଡିୟମର ଗୋଟିଏ ଷ୍ଟାଣ୍ଡର ନାଁ ବିରାଟ କୋହଲିଙ୍କ ନାଁରେ ନାମିତ ହେବ । ଅରୁଣଙ୍କ ସମ୍ମାନରେ ଷ୍ଟାଡିୟମର ନାଁ ବଦଳାଇବାକୁ ନିଷ୍ପତି ନେଇଛି ଡିଡିସିଏ ।

ଅରୁଣ ଡିଡିସିଏର ଅଧ୍ୟକ୍ଷ ରହିଥିବା ବେଳେ ଦିଲ୍ଲୀର ବିିଭିନ୍ନ ଷ୍ଟାଡିୟମର ଆଧୁନୀକରଣ କରିଥିଲେ । ଏପରିକି ବିଶ୍ୱସ୍ତରୀୟ ଡ୍ରେସିଂ ରୁମ ସହ ଷ୍ଟାଡିୟମରେ ଦର୍ଶକ କ୍ଷମତା ବଢାଇବା ପଛର ଶ୍ରେୟ ଅରୁଣଙ୍କୁ ଦିଆଯାଏ । ବିରାଟ କୋହଲି, ଗୌତମ ଗମ୍ଭୀର, ବିରେନ୍ଦ୍ର ସେହୱାଗ, ଆଶିଷ ନେହେରାଙ୍କ ଭଳି ଖେଳାଳିଙ୍କ ସଫଳତା ପଛରେ ଅରୁଣଙ୍କର କେଉଁଠି ନା କେଉଁଠି ହାତ ରହିଛି । ଯେଉଁଥିପାଇଁ ଅରୁଣଙ୍କ ବିୟୋଗରେ ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଶୋକବ୍ୟକ୍ତ କରିିଥିଲେ ।

ଡିଡିସିଏର ଅଧ୍ୟକ୍ଷ ରହିବା ସହ ବିସିସିଆଇର ଉପସଭାପତି ମଧ୍ୟ ରହିଥିଲେ ଅରୁଣ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଗତ ୨୪ ଅଗଷ୍ଟରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଅରୁଣ ।