ଶଷ୍ୟଶ୍ୟାମଳା ହେବ ଚାଷ ଅନୁପଯୋଗୀ ଜମି : ୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଉର୍ବର କରିବାକୁ ମୋଦି ସରକାରଙ୍କ ଲକ୍ଷ୍ୟ

235

କନକ ବ୍ୟୁରୋ : ଅନୁର୍ବର ଜମିରେ ସୁନା ଫଳିବ । ଚାଷ ଅନୁପଯୋଗୀ ଜମି ବି ଶଷ୍ୟଶ୍ୟାମଳା ହେବ । ପଡ଼ିଆ ଜମିରେ ସୁନା ଫଳାଇବା ପାଇଁ ଯୋଜନା କରୁଛନ୍ତି ମୋଦି ସରକାର । ଆଗାମୀ ୧ ବର୍ଷରେ ୫୦ ଲକ୍ଷ ହେକ୍ଟର ଚାଷ ଅନୁପୋଯୋଗୀ ଜମିକୁ ଉର୍ବର କରିବାକୁ ଯୋଜନା ହେଉଛି । ଦେଶର ୭୫ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ । ଏ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।

ପଡ଼ିଆ ଜମିକୁ ଉର୍ବର କରିବାକୁ ଲାଗି ପଡ଼ିଛନ୍ତି କେନ୍ଦ୍ର ସରକାର । ଭାରତରେ ୨ରୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ର ସିସିଡ଼ି କପ-୧୪ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଇଛି । ଏହି ସମ୍ମିଳନୀରେ ଅନୁର୍ବର ଜମିକୁ କିପରି ଶଷ୍ୟଶ୍ୟାମଳା କରାଯାଇପାରିବ ସେ ସମ୍ପର୍କରେ ବୈଜ୍ଞାନିକମାନେ ନିଜ ନିଜର ମତ ପ୍ରକାଶ କରିବେ । ଯଦ୍ୱାରା ଚାଷ ଅନୁପଯୋଗୀ ଜମିରେ ଚାଷ କରିବା ପାଇଁ କେନ୍ଦ୍ର ସରକାର ୟୁନାଇଟେଡ଼୍ ନେସନ୍ ସହ ଚୁକ୍ତି ମଧ୍ୟ କରିବ ।

ସୂଚନାଯୋଗ୍ୟ ଦେଶର ପାଖାପାଖି ୧.୬୯ କୋଟି ହେକ୍ଟର ଜମି ଚାଷଯୋଗ୍ୟ ନୁହେଁ । ଏପରି ଅନୁର୍ବର ଜମିରେ ଚାଷ କରିବାକୁ ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଏ ଦିଗରେ ଉଚିତ ପଦକ୍ଷେପ ନେବାପାଇଁ ସମସ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି କେନ୍ଦ୍ର ସରକାର ।