ଦିଲ୍ଲୀରେ ବେକାବୁ ଓମିକ୍ରନ । ଗୋଷ୍ଠୀ ସଂକ୍ରମଣର ମିଳିଲା ପ୍ରମାଣ

122

କନକ ବ୍ୟୁରୋ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚାରିଆଡେ ନିଜର କାୟା ମେଲାଇଛି । ଏହା ଭିତରେ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଖବର । ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏନେଇ କ୍ଲିନିକାଲ ପ୍ରମାଣ ବି ମିଳିଥିବା ସୂଚନା ରହିଛି । ଦିଲ୍ଲୀ ଆଇଏଲବି କ୍ଲିନିକାଲ ବାଇଲୋଜିକାଲ ବିଭାଗ ସୂଚନା ଦେଇଛି । ସେପଟେ ଦିଲ୍ଲୀରେ କରୋନା ମାମଲା ପିକରେ ପହଁଚିଛି । ପିକରେ ପହଁଚିବାପରେ ସଂକ୍ରମଣ ହ୍ରାସ ପାଇଥିବା କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ୍ ।  ସେ କହିଛନ୍ତି କି ଶୁକ୍ରବାର ତୁଳନାରେ ଶନିବାର ଦିଲ୍ଲୀରେ ସଂକ୍ରମଣ କମ ରହିଛି । ହସପିଟାଲ ରୋଗୀଙ୍କ ଭର୍ତି ସଂଖ୍ୟା ବୃଦ୍ଧି ପାଉନି । ଲୋକଙ୍କ ଟେଷ୍ଟ ଚାଲିଛି ।

  • କ୍ରମାଗତ ଭାବେ ଦେଶରେ ବଢୁଛି ପଜିଟିଭିଟି ହାର
  • ଦେଶରେ ପିଜିଟିଭିଟି ହାର ୧୬ ପ୍ରତିଶତରୁ ଅଧିକ ହେଲାଣି
  • ଗୁରୁବାର ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ ଜଣ ପଜିଟିଭ ଚିହ୍ନଟ
  • ଶୁକ୍ରବାର ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ କରୋନା ସଂକ୍ରମିତ ଚିହ୍ନଟ

ଗୁରୁବାର ଅପେକ୍ଷା ଶୁକ୍ରବାର ଅଧିକ ୪ ହଜାର ୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୮ଲକ୍ଷ ୫୦ହଜାର ୯୬୨ରେ ପହଁଚିଛି । ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୬ହଜାର ୪୧ ରହିଛି । ଗତକାଲି ୫ ହଜାର ୭୫୩ ରହିଥିଲା । ୨୪ ଘଂଟା ଭିତରେ ଏହାର ସଂଖ୍ୟା ୫.୧ ପ୍ରତିଶତ ବୃଦ୍ଧି ପାଇଛି । ତେବେ ୨୪ ଘଂଟାରେ ୧ଲକ୍ଷ ୨୨ହଜାର ୬୮୪ଜଣ ସୁସ୍ଥ ହେଲେଣି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩କୋଟି ୪୯ଲକ୍ଷ ୪୭ ହଜାର ୩୦୯ ରହିଛି ।

ସ୍ୱାସ୍ଥ୍ୟବିଶେଷଜ୍ଞ କହିଛନ୍ତି ନୂଆ କରୋନା ପ୍ରଜାତି ଦ୍ରୁତ ବେଗରେ ମାଡୁଛି ତ କିନ୍ତୁ ଏହା ବିଶେଷ କ୍ଷତିକାର ସାବ୍ୟସ୍ତ ହେଉନି । ତେଣୁ ଡାକ୍ତରଖାନାରେ ରୋଗୀଙ୍କ ଭର୍ତି ସଂଖ୍ୟା ପୂର୍ବ ଦୁଇ ଲହର ଅନୁପାତରେ କମ୍ ରହିଛି । ଟିକାର ଡବଲ ଡୋଜ ବ୍ୟକ୍ତି କମ ସଂକ୍ରମିତ ହେଉଛନ୍ତି । ପ୍ରଟୋକୋଲ ଭାଙ୍ଗିବା ଯୋଗୁଁ ସଂକ୍ରମଣ ବୃଦ୍ଧି ପଛରେ ପ୍ରମୁଖ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।ଏବେ ସୁଦ୍ଧା ଦେଶରେ ୧୫୬ କୋଟି ୨ ଲକ୍ଷ ପାଖାପାଖି ଲୋକଙ୍କୁ ଟିକା ଦିଆ ସରିଛି । ୨୪ ଘଂଟାରେ ୫୮ଲକ୍ଷ ୨ହଜାର ୯୭୬ଜଣଙ୍କୁ ଟିକାକରଣ ହୋଇଛି । ଦେଶରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ, ପଶ୍ଚିମବଙ୍ଗରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢାଉଛି । ଦେଶରେ ମୋଟ୍ ସଂକ୍ରମଣର ୫୩ ପ୍ରତିଶତ ମାମଲା କେବଳ ଏହି ୫ ରାଜ୍ୟରୁ ରହିଛନ୍ତି ।