କରୋନା ଯୋଗୁଁ କଲବଲ ହେଉଛି ଆମେରିକା । ବଢୁଛି ସଂକ୍ରମଣ,ଡାକ୍ତରଖାନାରେ ମିଳୁନି ବେଡ୍ । ସେପଟେ ଆଫ୍ରିକାରୁ ଆସିଲା ଆଶ୍ୱସ୍ତିକର ଖବର

198

କନକ ବ୍ୟୁରୋ: ପ୍ରତିଦିନ ୮ରୁ ୯ ଲକ୍ଷ ନୂଆ କରୋନା ମାମଲା ସାଙ୍ଗକୁ ଅଢେଇ ହଜାରରୁ ଅଧିକ ମୃତ୍ୟୁ । ଆମେରିକାରେ ଓମିକ୍ରନ ଭୂତାଣୁ ଯୋଗୁଁ କରୋନା ସଂକ୍ରମଣର ବିସ୍ଫୋରଣ ଲାଗିରହିଛି । ଡେଲ୍ଟା ଭଳି ଓମିକ୍ରନ୍ ଭୟାବହ ହେବନାହିଁ ଏବଂ ଅଧିକ ଲୋକ ଗୁରୁତର ହେବେ ନାହିଁ ବୋଲି ଆକଳନ କରାଯାଉଥିଲା । ହେଲେ ଆମେରିକାରେ ଲଗାତର ହସ୍ପିଟାଲ ଉପରେ ଚାପ ବଢିବାରେ ଲାଗିଛି । ସଂକ୍ରମଣ ଯେତେ ବ୍ୟାପକ ହେଉଛି ସ୍ୱାସ୍ଥ୍ୟସେବା ଉପରେ ଚାପ ସେତେ ବଢିଯାଉଛି । ଗତ ସପ୍ତାହ ଅପେକ୍ଷା ହସ୍ପିଟାଲରେ ରୋଗୀ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ପ୍ରତିଦିନ ପ୍ରାୟ ଦେଢଲକ୍ଷ ଲୋକ ହସ୍ପିଟାଲକୁ ଆସୁଛନ୍ତି ।

ଆମେରିକ ଭୂତାଣୁ ବିଶେଷଜ୍ଞ ଆନ୍ଥୋନି ଫସିଙ୍କ କହିବା ହେଲା, ଓମିକ୍ରନର ସଂକ୍ରାମକ କ୍ଷମତା ଏତେ ଅଧିକ ଯେ, ଏହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୋଜି ଖୋଜି ସଂକ୍ରମିତ କରିପାରିବ । ଗତ ସପ୍ତାହରେ ସାରାବିଶ୍ୱରେ ପ୍ରାୟ ଦେଢକୋଟି ଲୋକ ଓମିକ୍ରନ୍ ସଂକ୍ରମିତ ହେବା ପରେ ଟିକା ନେଇନଥିବା ଲୋକଙ୍କ ପାଇଁ ଏହା ବିପଦ ଆଣିପାରେ ବୋଲି ଚେତାଇ ଦେଇଥିଲା ହୁ ।

ଏପଟେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ପ୍ରଜାତି ଯୋଗୁଁ ଆସିଥିବା କରୋନାର ଚତୁର୍ଥ ଲହର ପ୍ରାୟ ୬ ମାସର ଦ୍ରୁତ ସଂକ୍ରମଣ ପରେ କମିବା ଆରମ୍ଭ ହୋଇଛି । ୬ ସପ୍ତାହ ଧରି ଦେଶରେ ପ୍ରାୟ ୧ କୋଟି ଲୋକଙ୍କୁ ସଂକ୍ରମିତ କରିବା ପରେ ଏହା ଏକପ୍ରକାର ପ୍ଲାଟ୍ୟୁ ସ୍ଥିତିକୁ ଆସିଯାଇଥିବା କହିଛନ୍ତି ଆଫ୍ରିକାରେ ଥିବା ଡବ୍ଲୁଏଚଓର ଆଂଚଳିକ ନିର୍ଦ୍ଦେଶକ । ତାଙ୍କ ମତରେ ଆଫ୍ରିକାରେ ଏହା ସବୁଠାରୁ କମ୍ ଅବଧିର ପିକ୍ ଥିଲା । ପୂର୍ବ ସପ୍ତାହ ଅପେକ୍ଷା ଚଳିତ ସପ୍ତାହରେ କରୋନା ସଂକ୍ରମଣ ହାର ୧୪ ପ୍ରତିଶତ କମ୍ ରହିଛି । ସେହିପରି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ପ୍ରାୟ ୫ ହଜାର ୬ଶହ ଆଇସିୟୁ ବେଡରୁ ୯ ପ୍ରତିଶତ ଅକ୍ତିଆର ହୋଇଛି । କିନ୍ତୁ ପୂର୍ବ ସପ୍ତାହ ଅପେକ୍ଷା ମୃତ୍ୟୁ ହାର ୬୪ ପ୍ରତିଶତ ବଢିଛି । କାରଣ ଟିକା ନେଇନଥିବା ଓ ଜଟିଳ ରୋଗ ଥିବା ଅଧିକାଂଶ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ।

କରୋନାର ଓମିକ୍ରନ୍ ପ୍ରଜାତି ପ୍ରଥମେ ଦକ୍ଷିଣ ଆଫ୍ରିକାରେ ହିଁ ଚିହ୍ନଟ ହୋଇଥିଲା । ୨୦୨୦ ନଭେମ୍ବର ୨୪ ତାରିଖରେ ଏହାକୁ ଚିହ୍ନଟ କରି ଡବ୍ଲୁଏଚଓକୁ ଜଣାଇବା ପରେ ନଭେମ୍ବର ୨୬ରେ ଏହାକୁ ଭାରିଆଂଟ ଅଫ କନସର୍ଣ୍ଣ ଘୋଷଣା କରଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଦକ୍ଷିଣ ଆଫ୍ରିକାରେ ଡେଲ୍ଟାର ସ୍ଥାନ ନେଇ ସାରିଛି ଓମିକ୍ରନ୍ ଭୂତାଣୁ । ବିଶେଷଜ୍ଞଙ୍କ ଅନୁସାରେ ମାତ୍ର ୨ ସପ୍ତାହରେ ଓମିକ୍ରନ ସାରା ଆଫ୍ରିକାରେ ଡେଲ୍ଟାର ସ୍ଥାନ ନେଇଗଲା । ଏବଂ ୬ ସପ୍ତାହରେ ଏହା ଶୀର୍ଷକୁ ଛୁଇଁ ପୁଣି ପ୍ଲାଟ୍ୟୁ ସ୍ଥିତିକୁ ଆସିଯାଇଛି । ତେଣୁ ଏହା ସବୁଠାରୁ କମ୍ ସମୟରେ ଦକ୍ଷିଣ ଆଫ୍ରିକାରେ ପିକରେ ପହଂଚି ପୁଣି ହ୍ରାସ ପାଇଛି ।