ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗ : ‘ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଏ ନାହିଁ’; ଉତ୍ତର ଦେଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

107

କନକ ବ୍ୟୁରୋ : ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସଙ୍ଗ । ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଅଣତାରକା ପ୍ରଶ୍ନର ଉତର ଦେଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି । ସାଂସଦ ଶ୍ରୀ ସାମନ୍ତ ପ୍ରଶ୍ନ କରିଥିଲେ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ବାରମ୍ବାର ହେଉଥିବା ଅନୁରୋଧକୁ ସରକାର ଗ୍ରହଣ କରିଛନ୍ତି କି ? ଏହି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯିବା ଦ୍ବାରା ଓଡ଼ିଶୀ ସଙ୍ଗୀତ ଜନପ୍ରିୟ ହେବା ସହ ସମଗ୍ର ଦେଶରେ ସଙ୍ଗୀତ‌ପ୍ରେମୀଙ୍କୁ ଆନନ୍ଦ ଦିଅନ୍ତା ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ସେ ଆହୁରି ମଧ୍ୟ ପଚାରିଥିଲେ, ଏ ସଂକ୍ରାନ୍ତରେ ସରକାର କିଛି ବିଚାର କରୁଛନ୍ତି କି ? ଯଦି ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନ ଦେବେ, ତାହାର କାରଣ ଦର୍ଶାଇବେ କି ? ବୋଲି ପ୍ରଶ୍ନ କରିଥିଲେ । ଏ ସମ୍ପର୍କରେ ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଲେ, ଓଡ଼ିଶୀ ସଙ୍ଗୀତକୁ ଶ‌ାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଭୁବନେଶ୍ବରରୁ ଓଡ଼ିଶୀ ଅକାଦେମି ପ୍ରତିଷ୍ଠାତା ସଭାପତି ତଥା ଅଧ୍ୟକ୍ଷ ଗୁରୁ ଗୋପାଳ ପଣ୍ଡା, ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆନ ମ୍ୟୁଜିକର ଅଧ୍ୟକ୍ଷ ପ୍ରଫେସର ପିକେ ମିଶ୍ର ଏବଂ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଠାରୁ ଭାରତ ସରକାରଙ୍କ ସଙ୍ଗୀତ ନାଟକ ଅକାଦେମି ପ୍ରସ୍ତାବମାନ ଗ୍ରହଣ କରିଛି। କିନ୍ତୁ କୌଣସି ସାଙ୍ଗୀତିକ ଧାରାକୁ ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରନ୍ତି ନାହିଁ ବୋଲି ଉତ୍ତରରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।