ଏସ୍‌ସିବିରେ ମିଳିଲାନି ଚିକିତ୍ସା ! ରାଜବୀର୍‌ଙ୍କୁ ନେଇ ଚାଲିଗଲେ ବାପା-ମା’; ଚିକିତ୍ସା ସହାୟତା ପାଇଁ ନବୀନ ନିବାସ ଆଗରେ ଦେଇଥିଲେ ଧାରଣା

244

କନକ ବ୍ୟୁରୋ : ଏସସିବିରୁ ରାଜବୀରଙ୍କୁ ନେଇ ଚାଲିଗଲେ ତାଙ୍କ ବାପା-ମାଆ । ସେଠାରେ କୌଣସି ଚିକିତ୍ସା ନମିଳିବା ନେଇ ବାପା-ମାଆ ଅଭିଯୋଗ କରିଛନ୍ତି । ତେଣୁ ସେମାନେ ରାଜବୀରଙ୍କୁ ନେଇ ଭୁବନେଶ୍ୱର ପଳାଇ ଯାଇଥିବା ଜଣାପଡ଼ିଛି । ନିଜ ୧୯ ମାସ ପୁଅ ରାଜବୀରକୁ ନେଇ ଫୁଲବାଣୀର କୁଳମଣି ରଣା ଓ ତମୋଲିକା ଦାସ ନବୀନ ନିବାସ ସାମ୍ନାରେ ଧାରଣା ଦେଇଥିଲେ । ସରକାରଙ୍କ ପକ୍ଷରୁ ପ୍ରଥମେ ଶିଶୁକୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା ।

ମିଳିଥିବା ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଫୁଲବାଣୀର କୁଳମଣି ରଣା ଓ ତମୋଲିକା ଦାସଙ୍କ ୧୯ ମାସର ପୁଅ ରାଜବୀର ୬ମାସ ହୋଇଥିବା ସମୟରୁ ଶ୍ବାସକ୍ରୀୟା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ କଷ୍ଟ ଅନୁଭବ କରୁଥିଲା । ଗତ ଜୁନ୍‌ ମାସରେ ତାକୁ ଫୁଲବାଣୀ ସରକାରୀ ଚିକିତ୍ସାଳ‌ୟରେ ଦେଖାଇଥିଲେ । ସେଠାରେ ରୋଗ ଚିହ୍ନଟ ନ ହେବାରୁ ଅଗ‌ଷ୍ଟ ମାସରେ ବେଙ୍ଗାଲୁରୁରେ ବିଭିନ୍ନ ପରୀକ୍ଷା କରାଯାଇ ରାଜବୀର ଏସ୍‌ଏମ୍‌ଏ ଷ୍ଟେଜ୍‌-୨ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ରୋଗର ଚିକିତ୍ସା ଭାରତରେ ନଥିବା ବେଳେ ଆବଶ୍ୟକ ଇଂଜେକସନ୍‌ର ମୂଲ୍ୟ ୧୬ କୋଟି ଟଙ୍କା ବୋଲି ଡାକ୍ତର କହିଥିଲେ । ଏତେ ଟଙ୍କା କେଉଁଠୁ ଆଣିବେ ବୋଲି କୌଣସି ବୁଦ୍ଧି ନପାଇ କୁଳମଣି ଓ ତମୋଲିକା ଓଡ଼ିଶା ଫେରି ନବୀନ ନିବାସ ସମ୍ମୁଖରେ ୪ ଦିନ ତଳେ ଧାରଣା ଦେଇଥିଲେ ।

ପୁଲିସ ସେଠାରୁ ତାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ ପ୍ରଥମେ କ୍ୟାପିଟାଲ ହପ୍ସିଟାଲ ଓ ପରଦିନ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଏସ୍‌ସିବିରେ ଶିଶୁକୁ ପ୍ରଥମେ ଶିଶୁ ବିଭାଗରେ ଓ ଅବସ୍ଥା ସାମାନ୍ୟ ଖରାପ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ, ସେଠାରେ ଠିକ୍‌ ଭାବେ ଚିକିତ୍ସା କରାଯାଉ ନଥିବା ଅଭିଯୋଗ କରି ବାପା-ମା ଶିଶୁଟିକୁ ନିଜ ଇଚ୍ଛାରେ ଡାକ୍ତରଖାନାରୁ ନେଇ ଭୁବନେଶ୍ବର ଚାଲିଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଶିଶୁର ବାପା କୁଳମଣି ଏକ ଫୁଡ୍‌ ଡେଲିଭରି ସଂସ୍ଥାରେ କାମ କରନ୍ତି ।