ମାଡି ଆଡୁଛି ଗ୍ରୀଷ୍ମପ୍ରବାହ : ସରକାର ଜାରି କଲେ ସତର୍କତା; ସ୍କୁଲ, କଲେଜ୍ ଛାତ୍ରଛାତ୍ରୀଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଲୋକଙ୍କୁ ସଚେତନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

202

କନକ ବ୍ୟୁରୋ : ହୁ ହୁ ହୋଇ ବଢ଼ିଚାଲିଛି ତାପମାତ୍ରା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ରାଜଧାନୀ ଭୁବନେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଥିବା ବେଳେ ବାରିପଦାରେ ୩୬.୮, କଟକରେ ୩୬.୬, ନୟାଗଡ଼ରେ ୩୬.୫, ବଲାଙ୍ଗୀରରେ ୩୬.୪, ଅନୁଗୁଳରେ ୩୫.୭, ତାଳଚେରରେ ୩୫.୫, ଭବାନୀପାଟଣାରେ ୩୫.୫ ଓ ସମ୍ବଲପୁରରେ ୩୫.୩ ଡିଗ୍ରି ରେକର୍ଡ କରାଯାଇଛି। କେତେକ ସ୍ଥାନରେ ସ୍ଥିତି ଏମିତି ହୋଇଛି ଯେ ଦିନ ସମୟରେ ଲୋକେ ଘରୁ ପଦାକୁ ବାହାରିପାରୁ ନାହାନ୍ତି। ଫେବ୍ରୁଆରି ମାସରୁ ଏଭଳି ସ୍ଥିତି ହେଉଥିବାରୁ ଆଗକୁ ସ୍ଥିତି ଆହୁରି ସାଙ୍ଘାତିକ ହେବା ନେଇ ଆକଳନ କରାଯାଇଛି। ତାହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ହିଟ୍‌ୱେଭ୍‌ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ତେଣୁ ଗ୍ରୀଷ୍ମ ସମୟରେ ଶିକ୍ଷାନୁଷ୍ଠାନ ଖୋଲା ରଖି ପିଲାଙ୍କୁ ପାଠପଢ଼ାଇବା‌ ଦିଗରେ ପଦକ୍ଷେପ ନିଆଯାଉଛି । ଗ୍ରୀଷ୍ମକୁ ନଜରରେ ରଖି ସକାଳୁଆ କ୍ଲାସ ଓ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସ୍କୁଲ ତଥା‌ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, କ୍ୟାମ୍ପସରେ ଥିବା ନଳକୂଅ ମରାମତି କରାଇବା, ପର୍ଯ୍ୟାପ୍ତ ଓଆରଏସ୍‌ ଉପଲବ୍ଧ କରିବା, ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକଳାପ ନ କରିବାକୁ କୁହାଯାଇଛି। କୋଭିଡ୍‌-୧୯ ପରେ ଯେଉଁ ଘରୋଇ ବିଦ୍ୟାଳୟଗୁଡ଼ିକ ପରିବହନ ସେବା ବନ୍ଦ ରଖିଛନ୍ତି ସେମାନେ ପୁଣିଥରେ ଆରମ୍ଭ କରିପାରିବେ । ଗଣଶିକ୍ଷା, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ଏ ସମ୍ପର୍କିତ ନିଜର ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରିବାକୁ କୁହାଯାଇଛି । କେବଳ ସକାଳ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦେଶ ଦିଆଯାଇଛି ।

ହିଟ୍‌ୱେଭ୍‌ରୁ ବର୍ତ୍ତିବା ଲାଗି ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳମାନେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବେ। ଏଥିସହ ପାନୀୟ ଜଳ ଯୋଗାଣ, ଅଚଳ ପାଣି ପାଇପ୍‌ଗୁଡ଼ିକର ମରାମତି, ନଳକୂପ ଓ ପାଇପ୍‌ ପାଣି ଯୋଗାଣକୁ ତୁରନ୍ତ ଆରମ୍ଭ କରିବା, କେନାଲରେ ‌ଜଳ ଛାଡ଼ିବା ଦିଗରେ ଜଳ ସମ୍ପଦ ବିଭାଗ ପଦକ୍ଷେପ ନେବାକୁ କୁହାଯାଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ବଜାର, ବସ୍‌ଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା, ପ୍ରାଣୀ ସମ୍ପଦ ଯେପରି ପ୍ରଭାବିତ ନ ହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ଯଥେଷ୍ଟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

 

ଗ୍ରୀଷ୍ମ ମୁକାବିଲା ଲାଗି ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ‌ଔଷଧ ମହଜୁଦ ରଖିବା, ସାଲାଇନ୍‌, ଓଆରଏସ୍‌ ଉପଲବ୍ଧ କରିବାକୁ କୁହାଯାଇଛି। ବସ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଓଆରଏସ୍‌ ପ୍ୟାକେଟ୍‌ ଉପଲବ୍ଧ କରାଇବା, ଗ୍ରୀଷ୍ମ ପ୍ରବାହ ସମୟରେ ଶ୍ରମିକଙ୍କୁ କାର୍ଯ୍ୟରେ ନ ଲଗାଇବା, ବିଦ୍ୟୁତ୍‌ ସଂଯୋଗ ଉପଲବ୍ଧ କରାଇବାକୁ ନିର୍ଦେଶ ଦିଆଯାଇଛି । ଯଦି କୌଣସି ସ୍ଥାନରେ ଅଂଶୁଘାତ ଭଳି ସମସ୍ୟା ନଜରକୁ ଆସେ ‌ତେବେ ଜିଲ୍ଲାପାଳମାନେ ଏଦିଗରେ ତୁରନ୍ତ ପଦକ୍ଷେପ ନେବେ । ସ୍ବାସ୍ଥ୍ୟକେନ୍ଦ୍ର, ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଯାଞ୍ଚ କରିବା ଲାଗି ଜିଲ୍ଲାପାଳମାନେ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରିବେ। ଜିଲ୍ଲାର କୌଣସି ସ୍ଥାନରେ ଅଂଶୁଘାନ ଜନିତ ମୃତ୍ୟୁ ଖବର ଆସିଲେ ଜିଲ୍ଲାପାଳ କମିଟି ଗଠନ କରି ତଦନ୍ତ କରିବେ। ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ। ରାଜ୍ୟ ଓ ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ଏସ୍‌ଆରସିଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି ।