ମାର୍ଚ୍ଚ ପହିଲାରୁ ବୟସ୍କ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା : ଟଙ୍କା ଦେଇ ଘରୋଇ କେନ୍ଦ୍ରରେ ନେଇ ହେବ ଟିକା

67

କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଦେଶର ବରିଷ୍ଠ ନାଗରିକ ଏବଂ ଗୁରୁତର ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ମିଳିବ । ଏହି ସୁବିଧା ଉଭୟ ସରକାରୀ ଟିକା ପ୍ରଦାନ କେନ୍ଦ୍ର ଓ ଘରୋଇ ଡାକ୍ତରଖାନାମାନଙ୍କରେ ଉପଲବ୍‌ଧ ହେବ ।

– ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ ଟିକା ଦିଆଯିବ
– ଗମ୍ଭୀର ରୋଗରେ ପୀଡିତ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବି ମିଳିବ ଟିକା
– ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ସୁବିଧା ଉପଲବ୍ଧ ହେବ
– ଟିକାକରଣ ପାଇଁ ୩୦ ହଜାରରୁ ଅଧିକ କେନ୍ଦ୍ର
– ୧୦ ହଜାର ସରାକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ର
– ସରକାରୀ ଡାକ୍ତରଖାନାରେ ମାଗଣା ମିଳିବ ଟିକା
– ଘରୋଇ ଡାକ୍ତରଖାନାରେ ଦେବାକୁ ପଡିବ ଶୁଳ୍କ
– ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦେଖାଇବାକୁ ପଡିବ ପ୍ରମାଣପତ୍ର
– କେତେ ମୂଲ୍ୟ ଦେବାକୁ ହେବ ତାହା ଖୁବଶୀଘ୍ର ସ୍ଥିର ହେବ
– ହିତାଧକାରୀ କେଉଁ ଟିକା ନେବେ ତାହା ଏବେ ବି ଅସ୍ପଷ୍ଟ

ସୂଚନାଯୋଗ୍ୟ ଯେ ଗତ ମାସ ୧୬ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ପ୍ରଥମ ଦଫା ଟିକାକରଣରେ ସ୍ବାସ୍ଥ୍ୟକର୍ମୀମାନେ ସାମିଲ ହୋଇଥିଲେ । ସେହିପରି ଦ୍ବିତୀୟ ଦଫାରେ ସୁରକ୍ଷା କର୍ମୀ ଓ ସ୍ବେଚ୍ଛାସେବୀଙ୍କ ପରି ସମ୍ମୁଖ ଭାଗ କୋଭିଡ୍‌ ଯୋଦ୍ଧାମାନେ ଉପକୃତ ହୋଇଥିଲେ । ତେବେ ଏହି ତୃତୀୟ ଦଫା ପାଇଁ ସରକାର ପ୍ରଥମେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପରେ ତାହାକୁ ୬୦ ବର୍ଷ କରିଛନ୍ତି । ଅପରପକ୍ଷେ ସମ୍ପ୍ରତି କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ପରି ଦୁଇଟି ଟିକାର ଉପଯୋଗ ପାଇଁ ଅନୁମତି ମିଳିଥିବା ବେଳେ ହିତାଧିକାରୀମାନେ ନିଜ ପସନ୍ଦର ଟିକା ନେଇପାରିବେ କି ନାହିଁ ତାହା ସରକାର ସ୍ପଷ୍ଟ କରିନାହାନ୍ତି ।

ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ପଞ୍ଜାବ ଭଳି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବା ସମୟରେ କେନ୍ଦ୍ର ସରକାର ଏହି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଟିକାକରଣ ଆଜି ଘୋଷଣା କରିଛନ୍ତି । ଏଥିସହିତ ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବ, ଛତିଶଗଡ଼ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ସ୍ବାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କରୋନା ଯୋଦ୍ଧାମାନଙ୍କ ଟିକାକରଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।