ଗାଡ଼ିରେ ହେଲମେଟ୍ ରଖି କୁଆଡ଼େ ଯାଉଛନ୍ତି କି? ତା’ହେଲେ ଟିକେ ସାବଧାନ ହୋଇ ଯାଆନ୍ତୁ! ନ ହେଲେ କାମ ସାରି ଫେରିବା ପରେ ଗାଡ଼ିରେ ହୁଏତ ଆଉ ହେଲମେଟ୍ ନ ଥିବ। ଦୁଇ ଚକିଆ ଗାଡ଼ି ଚାଳକ ଓ ସହଯାତ୍ରୀ(ପିଲିଅନ୍)ଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ହେବା ପରେ ମାତିଛନ୍ତି ଚୋର। ଜନଗହଳିପୂର୍ଣ୍ଣ ସ୍ଥାନରେ ରଖାଯାଇଥିବା ଗାଡ଼ିକୁ ଟାର୍ଗେଟ୍ କରି ଲୁଟି ନେଉଛନ୍ତି ହେଲମେଟ୍। ଏମିତି ଢଙ୍ଗରେ ରାଜଧାନୀରେ ଏବେ ହେଲମେଟ୍ ଚୋର ସକ୍ରିୟ ହୋଇଉଠିଛନ୍ତି। ପ୍ରତିଦିନ ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୧୫ରୁ ୨୦ଟି ହେଲମେଟ୍ ଚୋରି ହେଉଛି। ଗତ ଦେଢ଼ ମାସ ଭିତରେ ୯ଶହ ହେଲମେଟ୍ ଚୋରି ହୋଇଥିବା ଜଣାପଡ଼ିଛି। ହେଲମେଟ୍ ଚୋରି ସମ୍ପର୍କରେ ଥାନାକୁ ଅଭିଯୋଗ ଆସୁ ନଥିବା ବେଳେ ସମୟ ଅଭାବରୁ ଲୋକ ମଧ୍ୟ ଅଭିଯୋଗ କରନ୍ତି ନାହିଁ। ଫଳରେ ଚୋର ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଏବେ ହେଲମେଟ୍ ଚୋରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡବଲ ହେଲମେଟ୍ ବାଧ୍ୟତାମୂଳକ ହେବା ପରେ ଦୁଇଟି ହେଲମେଟ୍ ହାତରେ ଧରି ବୁଲିବା କଷ୍ଟକର ହେଉଥିବାରୁ ଲୋକ ଗାଡ଼ିରେ ରଖୁଛନ୍ତି। କେତେକ ତାଲା ପକାଉଥିବା ବେଳେ ଆଉ କେତେକ ସେମିତି ରଖି ଯାଉଛନ୍ତି। ଫଳରେ ଲୁଟେରା ହେଲମେଟ୍ ଲୁଟି ଫେରାର ହେବାରେ ସଫଳ ହେଉଛନ୍ତି।
କିଏ ଚୋରି କରୁଛି
କିଏ ଏହି ହେଲମେଟ୍ ଚୋରି କରୁଛି? କାହିଁକି ହେଲମେଟ୍ ଚୋରି କରୁଛି? ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଦୁଇ ପ୍ରକାର ହେଲମେଟ୍ ଚୋର ଅଛନ୍ତି। ଡବଲ୍ ହେଲମେଟ ବାଧ୍ୟତାମୂଳକ ହେବା ପରେ ଯଦି କେହି ହେଲମଟ୍ ଆଣି ଆସି ନାହିଁ, ତା’ହେଲେ ଚେକିଂ ଭୟରେ ହେଲମେଟ୍ ଚୋରି କରିନେଉଛି। ପେସାଦାର ଚୋର ଟାର୍ଗେଟ୍ କରି ଚୋରି କରୁଛି। ଜନଗହଳିପୂର୍ଣ୍ଣ ପାର୍କିଂ ଅଞ୍ଚଳ ବୁଲି ବୁଲି ଗାଡ଼ିରେ ଥିବା ହେଲମେଟ୍ ଉଠାଇ ନେଉଛି। ଏହାକୁ ଚୋରି କରିବା ପରେ ଡବଲ ହେଲମେଟ୍ ନ ଥିବା ଲୋକଙ୍କୁ କମ୍ ଦାମରେ ବିକ୍ରି କରୁଛି। ଫୁଟପାଥ୍ରେ ମଧ୍ୟ ଚୋରି ହେଲମେଟ୍କୁ ବିକ୍ରି କରାଯାଉଥିବା ଜଣାପଡ଼ିଛି।
ଟାର୍ଗେଟ୍ରେ ହସ୍ପିଟାଲ, କୋର୍ଟ, ବ୍ୟାଙ୍କ
ଜନଗହଳିପୂର୍ଣ୍ଣ ପାର୍କିଂ ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି ହେଲମେଟ୍ ଚୋର। ହସ୍ପିଟାଲ, କୋର୍ଟ, ବ୍ୟାଙ୍କ ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି। ଗାଡ଼ିରେ କିଏ ହେଲମେଟ୍ ରଖି ଗଲା, ତା’ ଉପରେ ନଜର ରଖୁଛନ୍ତି। ସାଧାରଣତଃ ଏହି ପ୍ରତିଷ୍ଠାନକୁ ଯାଉଥିବା ଲୋକ ଫେରିବାରେ ବିଳମ୍ବ ହୋଇଥାଏ। ଚୋର ଏହାର ସୁଯୋଗ ନେଇ ହେଲମେଟ୍ ଲୁଟି ଫେରାର ହୋଇଯାଏ। ହେଲମେଟ୍ ଚୋରି କରୁଥିବାରୁ ଏମାନେ ସହଜରେ ନଜରକୁ ଆସି ନଥାନ୍ତି। ଥାନାକୁ ଅଭିଯୋଗ ଆସୁ ନଥିଲେ ମଧ୍ୟ ହେଲମେଟ୍ ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଦାବି ହୋଇଛି।