କେନ୍ଦ୍ରାପଡା ପରେ ବାଲେଶ୍ୱରରୁ ଆସିଲା ତିନି ତଲାକ ଅଭିଯୋଗ: ଯୌତୁକ ଦାବିରେ ପତ୍ନୀକୁ ମାରଧର କଲା ସ୍ୱାମୀ; ସମାଧାନ ପାଇଁ ବସିଥିବା ଗାଁ ସଭାରେ କହିଲା ତଲାକ୍ ତଲାକ୍ ତଲାକ୍

ନ୍ୟାୟ ପାଇଁ ଭୋଗରାଇ ଥାନାକୁ ଗଲେ ପୀଡିତା

365

କନକ ବ୍ୟୁରୋ: ଟ୍ରିପଲ ତଲାକ ଆଇନ ହେବା ପରେ କେନ୍ଦ୍ରପଡା ପଟ୍ଟାମୁଣ୍ଡାଇ ପରେ ଏବେ ସମାନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇରୁ । ଅଧିକ ଯୌତୁକ ଦାବିରେ ସ୍ତ୍ରୀକୁ ତିନି ତଲାକ ଦେଇଛି ସ୍ୱାମୀ । ଗାଁ ସଭାରେ ପତ୍ନୀକୁ ତଲାକ ତଲାକ ତଲାକ ଛାଡି ଦେଇଛି ସ୍ୱାମୀ । ଏନେଇ ଭୋଗରାଇ ଥାନାରେ ପୀଡିତା ଏତଲା ଦେଇଛନ୍ତି ।

ପୀଡିତାଙ୍କ ଅଭିଯୋଗ ଅନୁସାରେ ୨୦୧୭ ମସିହାରେ ସେଖ ସାହିର ନାମକ ଯୁବକକୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ସେଖ ସାହିରଙ୍କୁ ଜାନିଯୌତୁକ ଦେଇଥିଲେ ଝିଅ ଘର ଲୋକ । ହେଲେ ଅଧିକ ଯୌତୁକ ଦାବିରେ ସେଖ ସାହିର ବାରମ୍ବାର ଶାରିରୀକ ନିର୍ଯାତନା ଦେଉଥିବା ପୀଡିତା ଅଭିଯୋଗ କରିଛନ୍ତି ।

ଏପରିକି ଗର୍ଭନିରୋଧକ ବଟିକା ଖୁଆଇ ସନ୍ତାନ ମଧ୍ୟ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ତେବେ ସୌଭାଗ୍ୟବଶତଃ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ବାରମ୍ବାର ଗଣ୍ଡଗୋଳ ହେବାରୁ ଗାଁରେ ସମାଧାନ ଉଦ୍ୟମ କରାଯାଇଥିଲା । ହେଲେ ସଭାରେ ପୀଡିତାଙ୍କୁ ସେଖ ସାହିର ତିନି ଥର ତଲାକ ତଲାକ ତଲାକ ବୋଲି କହି ଛାଡପତ୍ର ଦେଇଛନ୍ତି । ଯାହାକୁ ନେଇ ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ।