ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡିଶା । ମାର୍ଚ୍ଚ ୧୦ ପୂର୍ବରୁ ପ୍ରତି ଜିଲ୍ଲାରେ ହେବ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ।

ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି କହିଲେ ଏସଆରସି ।

108

କନକ ବ୍ୟୁରୋ: ପ୍ରତିବର୍ଷ ମାନଙ୍କ ଭଳି ଏଥର ମଧ୍ୟ ଅଂଶୁଘାତକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ଓଡିଶା । ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ହେବ । ଏଥିସହ ରାଜ୍ୟର ସମସ୍ତ ବିଭାଗ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁଁ ପ୍ରସ୍ତୁତ ଅଛନ୍ତି । ଆଜି ସମସ୍ତ ବିଭାଗର ସଚିବ ଓ ମୁଖ୍ୟ ସଚିବଙ୍କୁ ନେଇ ଏସମ୍ବନ୍ଧରେ ଏକ ବୈଠକ ବସିଥିଲା  ଏବଂ ରାଜ୍ୟରେ କିଭଳି ଅଂଶୁଘାତକୁ ମୁକାବିଲା କରିହେବ ସେନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ମାର୍ଚ୍ଚ ମାସରୁ ଜୁନ ମାସ ଭିତରେ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୁଏ । ତେଣୁ ଏହି ସମୟରେ ରାଜ୍ୟର ବିଭିନ୍ନ ଅଂଚଳରେ ନଳକୂପ ଓ ପିଇବା ପାଣି ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାବାଦ ବିଜୁଳି ସମସ୍ୟା ରୋକିବାକୁ ମଧ୍ୟ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା । ତା ସହିତ ପଶୁପକ୍ଷୀମାନେ ଯେପରି ଜଳଜନିତ କଷ୍ଟ ଅନୁଭବ ନକରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ସହିତ ଲୋକଙ୍କୁ ଘର ଆଗରେ ପାଣିପାତ୍ର ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଅନ୍ୟପଟେ ଆଗକୁ ଖରା ବଢିବାକୁ ଥିବାରୁ ଶ୍ରମିକମାନେ ମଧ୍ୟ ଏଥିପାଇଁ ସଚେତନ ରୁହନ୍ତୁ । ଡାକ୍ତରଖାନାରେ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ ଗଠନ କରାଯିବ । ସେଠାରେ ଏୟାରକୁଲରଠାରୁ ଆରମ୍ଭ କରି ଓଆରଏସ ଓ ଅନ୍ୟାନ୍ୟ ଜିନିଷ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି ।

ରାଜ୍ୟରେ ଏବେ ଅଳ୍ପକିଛି ସ୍କୁଲ ଚାଲୁଛି । ତେଣୁ ଖରା ବଢିବା ସହିତ ଏହି ସ୍କୁଲକୁ ସକାଳୁଆ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି । ତା ସହ ଅଙ୍ଗନବାଡିକୁ ମଧ୍ୟ ସକାଳୁଆ କରିବାକୁ କୁହାଯାଇଛି । ଏସବୁ ଭିତରେ ଜଙ୍ଗଲ ବିଭାଗକୁ ମଧ୍ୟ ନିଆଁ ଲାଗିବା ନେଇ ସତର୍କ କରାଦିଆଯାଇଛି ବୋଲି ଆଜି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।