ରାଜନୀତିରେ ବାଜି ଲାଗିଛି ନୟାଗଡ ବୃତଙ୍ଗ ନଦୀବନ୍ଧ ଯୋଜନା । ମୁହାଁମୁହିଁ ହେଲେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ଏବଂ ବିସ୍ଥାପନ ବିରୋଧୀ ସଂଗ୍ରାମ ସମିତି ।

57

କନକ ବ୍ୟୁରୋ: ଦୀର୍ଘ ଦିନର ନିରବତା ପରେ ଏବେ ରାଜନୀତିରେ ବାଜି ଲାଗିଛି ବୃତଙ୍ଗ ନଦୀବନ୍ଧ ଯୋଜନା । କିଛି ଦିନ ତଳେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ପ୍ରକଳ୍ପ କାର୍ଯ୍ୟକାରୀ ଦାବିରେ ପଦଯାତ୍ରା କରିଥିବା ବେଳେ ଏବେ ଏହାକୁ ବିରୋଧ କରି ମେଳି କରିଛି ପ୍ରକଳ୍ପ ବିରୋଧୀ ସଂଗ୍ରାମ ସମିତି । ତେବେ କୌଣସି ସମ୍ଭାବନା ନଥାଇ କ୍ରିୟାନୁଷ୍ଠାନ କମିଟି ପଦଯାତ୍ରା କରିବା ଓ ବିସ୍ଥାପନ ବିରୋଧୀ ସମିତି ମେଳି ବାନ୍ଧିବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନୟାଗଡ ବୃତଙ୍ଗ ନଦୀ ବନ୍ଧ ଯୋଜନାକୁ ନେଇ ବଢୁଛି ବିବାଦ । ପ୍ରକଳ୍ପ ସପକ୍ଷରେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ଓ ବିପକ୍ଷରେ ବିସ୍ଥାପନ ବିରୋଧୀ ସଂଗ୍ରାମ ସମିତି । ବୃତଙ୍ଗ ନଦୀ ବନ୍ଧ ପ୍ରକଳ୍ପ ହେଲେ ଜଳମଗ୍ନ ହେବ ନୟାଗଡ ଜିଲ୍ଲାର କୁଲୁରୁକୁମ୍ପା, ବାଣିଗୋଛା ଓ ତୁମାଣ୍ଡି ଭଳି ୩ଟି ପଂଚାୟତର ୨୨ ଖଣ୍ଡ ଗାଁ । ଭିଟାମାଟି ହରାଇବେ ଗ୍ରାମବାସୀ । ତେଣୁ ମରିବୁ ପଛେ ପ୍ରକଳ୍ପ ପାଇଁ ଜାଗା ଛାଡିବୁ ନାହିଁ ବୋଲି ଜିଦ୍ରେ ଅଟଳ ୩ଟି ପଂଚାୟତର ଶହଶହ ଲୋକେ । ଭିଟାମାଟି ଛାଡି କୁଆଡେ ଯିବେ ନାହିଁ କି ପ୍ରସ୍ତାବିତ ସ୍ଥାନରେ ପ୍ରକଳ୍ପ କରାଇ ନଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିସ୍ଥାପନ ବିରୋଧି ସଂଗ୍ରାମ ସମିତି ।

ସେପଟେ ବୃତଙ୍ଗ ନଦୀ ବନ୍ଧ ଯୋଜନାରେ ତୁରନ୍ତ କାମ ଆରମ୍ଭ ପାଇଁ ଦାବି କରି କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଭେଟିଥିଲେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ସଦସ୍ୟ । ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ କାମ ଆରମ୍ଭ କରାଯାଉ ବୋଲି କହିଛି ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ।

୧୯୭୧ ମସିହାର ଏହି ପ୍ରସ୍ତାବିତ ବୃତଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ୨୩ ହଜାର ହେକ୍ଟର ଜମି ଜଳସେଚିତ ହେବ । ୯ ଲକ୍ଷ ଚାଷୀ ଉପକୃତ ହେବେ । ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ପରିବେଶ ମଂଜୁରୀ ମିଳିସାରିଛି, ଦ୍ୱିତୀୟ ପର୍ଯ୍ୟାୟ ମଂଜୁରୀ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତିି ରାଜ୍ୟ ସରକାର ।