ହକି ବିଶ୍ୱକପରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରସାର ପ୍ରଚାର : ଖେଳାଳି ଓ ଅତିଥିମାନଙ୍କୁ ପ୍ରଦାନ କରାଯିବ ହସ୍ତତନ୍ତ ଓ ହସ୍ତଶିଳ୍ପରେ ପ୍ରସ୍ତୁତ ଉପହାର

87

କନକ ବ୍ୟୁରୋ : ହକି ବିଶ୍ୱକପକୁ ଆଉ ଅଳ୍ପ ଦିନ ବାକି । ଏବେଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ହକି ଫିବର । ବିଶ୍ୱକପ୍ ପାଇଁ ରାଜ୍ୟରେ ପ୍ରସ୍ତୁତି ପର୍ବ ଶେଷ ହେବା ଉପରେ । ଏଥିପାଇଁ ସମସ୍ତେ ବେଶ୍ ଉତ୍ସାହିତ । ତେବେ ବିଶ୍ୱକପ୍ ପାଇଁ ଅନଲାଇନ୍ ଟିକେଟ ବିକ୍ରି ସହ ଆଜିଠାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ହକି ବିଶ୍ୱକପରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଗୁରୁତ୍ୱ ଦିଆଯାଇଛି । ହକି ବିଶ୍ୱକପରେ ଖେଳାଳି ଓ ଅତିଥିମାନଙ୍କୁ ପ୍ରଦାନ କରାଯିବ ହସ୍ତତନ୍ତ ଓ ହସ୍ତଶିଳ୍ପରେ ପ୍ରସ୍ତୁତ ଉପହାର ।

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଆକର୍ଷଣୀୟ ଉପହାର ଦେବାର ଏକ ପ୍ରମୁଖ କାରଣ ରହିଛି । ଏହାଦ୍ୱାରା ସମଗ୍ର ବିଶ୍ୱରେ ଆମ କଳା ଓ ସଂସ୍କୃତିର ପ୍ରସାର ପ୍ରଚାର ହୋଇପାରିବ । ତେବେ ଏଥିପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାମଗ୍ରୀ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆସନ୍ତା ବିଶ୍ୱକପରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଡୋକ୍ରା ହସ୍ତଶିଳ୍ପରେ ପ୍ରସ୍ତୁତ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ । ଏହି ଟ୍ରଫିକରେ ହକି ଷ୍ଟିକ୍ ଓ ବଲ୍ ଶୋଭା ପାଇବ ।

ମୟୁରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପ କାରିଗରମାନେ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ତେବେ ଏଥିପାଇଁ ପ୍ରାୟ ୬୦୦ଟ ଟ୍ରଫି ନିର୍ମାଣ କରାଯିବ । ଅନ୍ୟପଟେ ତାରକସି କାମ ପାଇଁ ପ୍ରସିଦ୍ଧ କଟକ ସହରରେ କାରିଗରଙ୍କୁୁ ବିଭିନ୍ନ ଆକୃତିର ତାରକସୀ ଟ୍ରଫି ନିର୍ମାଣ ପାଇଁ ଦାୟିତ୍ୱ ଦିଆଯାଇଛି । ସବୁ ଟ୍ରଫିର ପ୍ୟାକେଜିଂ ପାଇଁ ଆକ୍ରଲିକ୍ ବକ୍ସ, ଭେଲଭଟେ୍ ବକ୍ସ ଏବଂ ୬୩୬ଟି ଲାଖ ବାକ୍ସ ପ୍ରସ୍ତୁ କରାଯାଉଛି । ନବରଙ୍ଗପୁର ଶଙ୍ଖାରି ସାହିର ଲାଖ କାରିଗରମାନେ ଏହି ଲାଖ ବାକ୍ସ ପ୍ରସ୍ତୁତ କରୁଛନ୍ତି ।

ସମସ୍ତ ଖେଳାଳି, ଦେଶ ବିଦେଶରୁ ଆସିଥିବା ଖେଳାଳିଙ୍କୁ ସମ୍ମାନ ସ୍ୱରୂପ ଓଡ଼ିଶା ହସ୍ତତନ୍ତ ଷ୍ଟୋଲ ପ୍ରଦାନ କରାଯିବ । ପ୍ରାୟ ୬୧୦ଟି ଷ୍ଟୋଲ ଯୋଗାଇ ଦେବାପାଇଁ ସମ୍ବଲପୁରୀ ବସ୍ତ୍ରାଳୟକୁ କୁହାଯାଇଛି । ଏହାବ୍ୟତୀତ ହସ୍ତିକା ହସ୍ତଶିଳ୍ପ ଅନୁଷ୍ଠାନକୁ ଝୋଟ ବ୍ୟାଗ ଯୋଗାଇଦବୋ ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ସମସ୍ତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀକୁ ରାଜ୍ୟ ତଥା ତଜାତୀୟ ପୁରସ୍କାର ପ୍ରାପ୍ତ କାରିଗର ଓ ବୁଣାକାରମାନେ ପ୍ରସ୍ତୁତ କରୁଛନ୍ତି ।