ଏନଆଇଏକୁ ଶକ୍ତ ଝଟକା ! ଜାକିର ନାଏକ ନାଁରେ ରେଡକର୍ଣ୍ଣର ନୋଟିସ ଜାରି କରିବାକୁ ମନା କଲା ଇଂଟରପୋଲ

34

କନକ ବ୍ୟୁରୋ: ଭାରତୀୟ ଏଜେନ୍ସିକୁ ଝଟକା ଦେଇ ଇଂଟରପୋଲ ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକ ବିରୋଧରେ ରେଡକର୍ଣ୍ଣର ନୋଟିସ ଜାରି କରିବାକୁ ମନା କରିଦେଇଛି । ପ୍ରମାଣ ଅଭାବରୁ ଜାକିର ନାଏକ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇନାହିଁ ବୋଲି ଇଂଟରପୋଲ ତରଫରୁ ସୂଚନା ଦିଆଯାଇଛି ।

ସେପଟେ ଜାକିର ନାଏକ କହିଛି, ଭାରତୀୟ ଏଜେନ୍ସି ତାଙ୍କୁ କ୍ଲିନ ଚିଟ୍ ଦେଇଥିଲେ ସେ ଅଧିକ ଖୁସି ହୋଇଥାନ୍ତେ । ସେହି ଦିନ ମଧ୍ୟ ଶୀଘ୍ର ଆସିବ ବୋଲି କହିଛନ୍ତି ଜାକିର । ଏନଆଇଏ ମୁଖପାତ୍ର ଆଲୋକ ମିତଲ କହିଛନ୍ତି, ଜାକିର ନାଏକ ବିରୋଧରେ ଚାର୍ଜ ସିଟ ଦାଖଲ କରାଯାଇନଥିବା ବେଳେ ଇଂଟରପୋଲରେ ଆବେଦନ କରାଯାଇଥିଲା । ତେଣୁ ରେଡ କର୍ଣ୍ଣର ନୋଟିସ ଜାରି ପାଇଁ ମନା କରିଛି ଇଂଟରପୋଲ । ଏନେଇ ସିବିଆଇର କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନା ମୁତାବକ, ଗତବର୍ଷ ଜୁଲାଇ ମାସରେ ବାଂଲାଦେଶରେ ହୋଇଥିବା ଆତଙ୍କବାଦୀ ହମଲାର ଜଣେ ଅଭିଯୁକ୍ତ ଜାକିରଙ୍କ ଭାଷଣରେ ଅନୁପ୍ରାଣିତ ହୋଇ ଏପରି ଆତଙ୍କବାଦୀ କାର୍ଯ୍ୟକୁ ଆପଣେଇଥିବା ସ୍ୱୀକାର କରିବା ପରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଥିଲା । ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପ ସହ ସଂପୃକ୍ତ ଥିବାରୁ ଜାକିରଙ୍କ ବିରୋଧରେ ଭାରତର ଜାତୀୟ ତନନ୍ତକାରୀ ସଂସ୍ଥା ତଥା ଏନଆଇଏ ଚାର୍ଜସିଟ୍ ଦାଖଲ କରିଛି । ତେଣୁ ଜାକିରଙ୍କ  ବିରୋଧରେ ରେଡକର୍ଣ୍ଣର ନୋଟିସ୍ ଜାରି କରି ପ୍ରତ୍ୟର୍ପଣ ପାଇଁ ଭାରତ ଇଂଟରପୋଲକୁ ଚିଠି ଲେଖିଥିଲା ।