ରାଜ୍ୟରେ ପ୍ଲାଷ୍ଟିକ ନିଷେଧ ନେଇ ସଚିବାଳୟରେ ବୈଠକ : ଓମଫେଡ୍ ଜରି ଓ ପାଣି ବୋତଲ ଫେରାଇଲେ ମିଳିବ ଟଂକା

98

କନକ ବ୍ୟୁରୋ : ପ୍ଲାଷ୍ଟିକ୍ ଦିଅନ୍ତୁ ଟଂକା ନିଅନ୍ତୁ । ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଉ ଏକ ପାଦ ଆଗେଇ ଛନ୍ତି ରାଜ୍ୟ ସରକାର । ସଚିବାଳୟରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଓମଫେଡ୍ ଜରି, ପାଣି ବୋତଲ ଫେରାଇଲେ ଏଣିକି ମିଳିବ ଟଂକା । ଏଜେଂଟଂକ ଜରିଆରେ ଏହି ପ୍ଲାଷ୍ଟିକ୍ ବୋତଲ ଓ ଜରି ସଂଗ୍ରହ କରାଯିବ । ବିଭିନ୍ନ ପ୍ଲାଷ୍ଟିକ୍ ସଂଗ୍ରହ କେନ୍ଦ୍ର ମଧ୍ୟ ଗଠନ କରାଯିବ । ଜନସାଧାରଣ ମତମତ ପାଇଁ ୧୫ ଦିନର ସମୟ ଦିଆଯିବ । ସେପ୍ଟେମ୍ବର ୧୫ ସୁଦ୍ଧା ପ୍ଲାଷ୍ଟିକ୍ ନିଷେଧ ନିୟମ ଆସିବ । ଆସନ୍ତା ୨ ସପ୍ତାହ ମଧ୍ୟରେ ନିୟମ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ଲାଷ୍ଟିକ୍ ପାଉଚ୍ ବନ୍ଦ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ପ୍ଲାଷ୍ଟିକ ଏବେ ଆମ ଦୈନନ୍ଦିନ ଜୀବନରେ ଅତି ଜରୁରୀ ହୋଇ ପଡିଛି । ଆମର ଅଭ୍ୟାସ ଏପରି ହୋଇଯାଇଛି ଯେ ସବୁ କାମରେ ଆବଶ୍ୟକ ହେଉଛି ପ୍ଲାଷ୍ଟିକ । ଯଦି ଜଣେ ପରିବା କିଣିବା ପାଇଁ ବଜାରକୁ ଆସୁଛି, ତେବେ ଫେରିବା ବେଳେ ପରିବା ସହ ନେଇଯାଉଛି ଛୋଟ ଛୋଟ ଅନେକ ପଲିଥିନ ବ୍ୟାଗ୍ । ଜୁଆଡେ ଚାହିଁବେ ସିଆଡେ ଦେଖିବେ ପ୍ଲାଷ୍ଟିକ ସାମଗ୍ରୀ ।

ପରିସଂଖାନ କହୁଛି, ଭାରତରେ ଜଣେ ଲୋକ ବର୍ଷକୁ ହାରାହାରି ପ୍ରାୟ ୧୨ କିଲୋ ପ୍ଲାଷ୍ଟିକ ବ୍ୟବହାର କରିଥାଏ । ଏହାର ୩୩ ପ୍ରତିଶତ ଅର୍ଥାତ ତିନି ଭାଗରୁ ଭାଗେ ହେଉଛି ପାଣି ବୋତଲ, ପଲିଥିନ ବ୍ୟାଗ, ଡିସପୋଜେବୁଲ ଗ୍ଲାସ, କପ୍ ଓ ଷ୍ଟ୍ର । କୁହାଯାଉଛି, ଏହି ପ୍ରକ୍ରିୟା ଜାରି ରହେ, ତେବେ ମାଟି ଦେଖିବାକୁ ମିଳିବନି, ଖାଲି ଥିବ ପ୍ଲାଷ୍ଟିକର ଆସ୍ତରଣ ।

କାହିଁକି ସଭ୍ୟତା ପାଇଁ ବଡ଼ ବିପଦ ହେଉଛି ପ୍ଲାଷ୍ଟିକ ।

– ଦେଶରେ ପ୍ରତିଦିନ ୨୫ ହଜାର ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ

– ଜୈବିକ ବସ୍ତୁ ଭଳି କ୍ଷୟ ହୁଏ ନାହିଁ ପ୍ଲାଷ୍ଟିକ

– ୨୦୦୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

– ପ୍ଲାଷ୍ଟିକରୁ ନିର୍ଗତ କେମିକାଲ୍ ମଣିଷ ପାଇଁ ଘାତକ

– ସୃଷ୍ଟି କରିପାରେ ଫୁସଫୁସ ସଂକ୍ରମଣ ଓ କ୍ୟାନସର ଭଳି ମାରାତ୍ମକ ରୋଗ

– ଭୂତଳ ଜଳକୁ ଦୂଷିତ କରୁଛି ପ୍ଲାଷ୍ଟିକ