ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବିଜୟ ନାୟର ଏବଂ ଅଭିଶେକ ବାଇନପଲ୍ଲୀଙ୍କ ଇଡି ରିମାଣ୍ଡ ବୃଦ୍ଧି। 

48

କନକ ବ୍ୟୁରୋ: ଆପ୍ ପ୍ରଭାରୀ ବିଜୟ ନାୟର ଏବଂ ବ୍ୟବସାୟୀ ଅଭିଶେକ ବାଇନପଲ୍ଲୀଙ୍କ ଇଡି ରିମାଣ୍ଡ ୫ଦିନ ବୃଦ୍ଧି ହୋଇଛି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଅବକାରୀ ଦୁର୍ନୀତି ସହ ଜଡିତ ଧନତୋଷଣ ମାମଲାରେ ଏହି ରାୟ ଶୁଣାଇଛନ୍ତି । ଇଡି ଉଭୟଙ୍କ ରିମାଣ୍ଡ ଅବଧି ୯ ଦିନ ବୃଦ୍ଧି କରିବାକୁ ଅପିଲ କରିଥିଲା ତେବେ କୋର୍ଟ ୫ ଦିନ ପାଇଁ ଅନୁମତି ଦେଇଛନ୍ତି । ବିଜୟ ନାୟର ଏବଂ ଅଭିଶେକ ବାଇନପଲ୍ଲୀଙ୍କ ୫ ଦିନିଆ ଇଡି ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ଆଜି ହାଜର କରାଯାଇଥିଲା । ପୁଣି ଥରେ ତାଙ୍କ ରିମାଣ୍ଡକୁ ଆଉ ୫ଦିନ ବଢାଇ ଦିଆଯାଇଛି ।

ଏହା ପୂର୍ବରୁ ଏହି ମାମଲାରେ ବିଜୟ ନାୟର ଏବଂ ଅଭିଶେକ ବାଇନପଲ୍ଲୀଙ୍କୁ ସୋମବାର କୋର୍ଟ ୫ ଦିନିଆ ରିମାଣ୍ଡରେ ଇଡି ହେପାଜତକୁ ପଠାଇଥିଲେ । ତେବେ ଏହା ସହ ଜଡିତ ସିବିଆଇ ଯାଞ୍ଚରେ ଥିବା ଦୁର୍ନୀତି ମାମଲାରେ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ସ୍ୱତନ୍ତ୍ର ଜଜ୍ ଏମ କେ ନାଗପାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆବେଦନ ସ୍ୱିକାର କରିଥିଲେ । ଏଥିରେ ଏଜେନ୍ସି କହିଥିଲା ଯେ ବଡ ଷଡଯନ୍ତ୍ର ଏବଂ ଧନ ନେଣଦେଣ ସହ ଜଡିତ ବ୍ୟକ୍ତିଙ୍କୁ ପଚରାଉଚରା ଜରୁରୀ । ଇଡି ଆହୁରି ମଧ୍ୟ କହିଛି ଅଭିଯୁକ୍ତଙ୍କ ସାକ୍ଷ ଏବଂ ଦସ୍ତାବିଜକୁ ସାମ୍ନାକୁ ଆଣିବା ଦରକାର ।