ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ନୂଆ ବିବାଦ। ବାଲାସାହେବଙ୍କ ନାଁକୁ ନେଇ ଶିବସେନା ଓ ବିଦ୍ରୋହୀଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା।

151

କନକ ବ୍ୟୁରୋ : ଉଠୁଛି ପଡୁଛି ମହାରାଷ୍ଟ୍ର ରାଜ୍ୟ ରାଜନୀତି । ଦିନ ଯେତିକି ଗଢୁଛି ସେତିକି ଦ୍ୱନ୍ଦ ବଢୁଛି । ଶିବସେନା ବନାମ ବିଦ୍ରୋହୀ ବିଧାୟକଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ସରଗରମ ସ୍ଥିତି ଜାରିରହିଛି । ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ । ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିଲା କାର୍ଯ୍ୟକାରିଣୀ ବୈଠକ । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି କି ଆଜିର ବୈଠକରେ ୪ଟି ବିଶେଷ ପ୍ରସ୍ତାବ ପାରିତ ହୋଇଛି ।

ସେପଟେ ସିନ୍ଦେ ତାଙ୍କ ନୂଆ ଟିମର ନାଁ ଗଠନ କରିବା ନେଇ ଘୋଷଣା କରିବା ପରେ ଚେତାବନୀ ଦେଇଛି ଶିବସେନା । ବାଲାସାହେବଙ୍କ ନାଁ ଉପରେ କେବଳ ଶିବସେନାର ଅଧିକାର ରହିଛି  ଓ ଏହି ନାଁର ଅପବ୍ୟହାର କରାଯାଇଥିବା ଅଭିଯୋଗ କରି ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ସେପଟେ  ଉପବାଚସ୍ପତି ନରହରି ଜିରୱାଲ ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ଏ ବିଦ୍ରୋହୀ ଗୋଷ୍ଠୀଙ୍କୁ ଝଟକା ଦେଇଛନ୍ତି । ପ୍ରସ୍ତାବ ଖାରଜ ପରେ ଏକନାଥ ସିନ୍ଦେଙ୍କ ସହ ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି ।

ମହାରାଷ୍ଟ୍ର ରାଜନୀତି ହଲଚଲ ଭିତରେ ଉଗ୍ର ହୋଇପଡିଛନ୍ତି ଶିବସୈନିକ । ସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି । ଏଥିସହ ବିଭିନ୍ନ ରାଜନୈତିକ ଦଳ କାର୍ଯ୍ୟାଳୟ ବାହାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ହାଇଆର୍ଲଟରେ ରହିଛି ମମ୍ବାଇ । ଆସାମ ଗୁଆହାଟୀରେ ୪୨ରୁ ଅଧିକ ବିଧାୟକଙ୍କୁ ନେଇ ଡେରା ପକାଇଥିବା ଏକନାଥ ସିନ୍ଦେ ମଧ୍ୟ ଜରୁରୀ ବୈଠକ କରିଛନ୍ତି । ସେପଟେ କଂଗ୍ରେସ, ଏନସିପି ଶିବସେନାକୁ ଶେଷ ପର୍ଯ୍ୟନ୍ତ ସମର୍ଥନ ଜଣାଇବା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ।

ଆଜିର କାର୍ଯ୍ୟକାରିଣୀ ବୈଠକରେ ଅନୁପସ୍ଥିତ ଥିବା ୧୬ଜଣ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି ଓ ୨୭ ତାରିଖରେ ମୁମ୍ବାଇରେ ଉପସ୍ଥିତ ରହିବାକୁ କୁହାଯାଇଛି । ଏହା ଭିତରେ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ପ୍ରତ୍ୟାହାରକୁ ନେଇ ଏକନାଥ ସିନ୍ଦେ ଟୁଇଟ କରି ମୁଖ୍ୟମନ୍ତ୍ରୀ  ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି ।