ନୂଆ ରାଜ୍ୟପାଳ ନିଯୁକ୍ତିରୁ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ ନେଇ ମିଳିଲା ସଂକେତ : ଆଗାମୀ ୮ରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

397

କନକ ବ୍ୟୁରୋ : ନୂଆ ରାଜ୍ୟପାଳ ନିଯୁକ୍ତି ପରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ବଡଧରଣ ଅଦଳବଦଳ ନେଇ ସଂକେତ ମିଳୁଛି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ୮ତାରଖରେ ହୋଇପାରେ କେନ୍ଦ୍ର କ୍ୟାବିନେଟର ସଂପ୍ରସାରଣ । ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ୨୦ ନୂଆ ଚେହେରା। ମନ୍ତ୍ରୀ ଥାବର ଚନ୍ଦ ଗେହଲଟଙ୍କଠାରୁ ଏହାର ଆରମ୍ଭ ହୋଇସାରିଥିବା କୁହାଯାଉଛି ।

କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ପ୍ରଥମ କ୍ୟାବିନେଟ ସଂପ୍ରସାରଣ । କିଛି ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରି ନୂଆଙ୍କ ସୁଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଂଗ୍ରେସ ଛାଡି ବିଜେପିରେ ସାମିଲ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଆଗରେ ରହିଛି । ସେହିପରି ବରିଷ୍ଠ ନେତା ନାରାୟଣ ରାଣେଙ୍କୁ ଦିଲ୍ଲୀ ଡକା ଯାଇଛି ।

ସୂଚନା ଅନୁସାରେ ନାରାୟଣ ରାଣେଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟାଳୟରୁ ଫୋନ ଆସିଥିଲା । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ମଧ୍ୟ ଦିଲ୍ଲୀରୁ ଡାକରା ଆସିଛି । ପଶ୍ଚିମବଙ୍ଗର ବିଜେପି ସାଂସଦ ସାନ୍ତନୁ ଠାକୁର, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ଜେଡୁୟୁରୁ ଆରସିପି ସିଂହ, ଏଲଜେପିରୁ ପଶୁପତି ପାରସ, ଆପନା ଦଳରୁ ଅନୁପ୍ରିୟ ପଟେଲ ଓ ନିଶାଦ ପାର୍ଟିରୁ ପ୍ରବୀଣ ନିଶାଦଙ୍କ ସମେତ ୨୦ ଜଣଙ୍କୁ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ।