କନକ ବ୍ୟୁରୋ : ଖୁବଶୀଘ୍ର ବଦଳିବ ମୋଦିଙ୍କ ମନ୍ତ୍ରୀମଣ୍ଡଳ । ଏନେଇ ଏକପ୍ରକାର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୁଇରୁ ତିନି ଦିନ ମଧ୍ୟରେ ଏନେଇ ନିଷ୍ପତି ନିଆଯାଇପାରେ । ଏଭଳି ସ୍ଥିତିରେ କିଏ ମୋଦିଙ୍କ ନୂଆ ଟିମରେ ସାମିଲ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହାରି ଭିତରେ କିଛି ନେତାଙ୍କୁ ଦିଲ୍ଲୀ ଡାକରା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଗୁରୁବାର ସକାଳ ସାଢେ ୧୦ଟାରେ ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳ ବିସ୍ତାର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ଦଳର ବଡ ଚେହେରାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଖାସକରି ଯେଉଁମାନଙ୍କର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ସେମାନଙ୍କୁ ଡାକରା ଆସିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ନାରାୟଣ ରାଣେ, ପଶୁପତି ପାରସଙ୍କୁ ଦିଲ୍ଲୀ ଡାକରା ଆସିଥିବା ବେଳେ ଖୁବଶୀଘ୍ର ଅନ୍ୟ ନେତାଙ୍କ ପାଖକୁ ମଧ୍ୟ କଲ ଯାଇପାରେ । ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜର ହିମାଚଳପ୍ରଦେଶ ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏଭଳି ସ୍ଥଳେ ଅନୁମାନ କରାଯାଉଛି ଯେ ଆଉ ଦିନେ କି ଦୁଇ ଦିନ ମଧ୍ୟରେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ ।
ସବୁଠୁ ବଡ କଥା ହେଲା, ନୂଆ ମନ୍ତ୍ରୀମଣ୍ଡଳରେ ୨୦ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଖାସକରି ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଭଳି ରାଜ୍ୟର ନେତାଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅଧିକ ସ୍ଥାନ ମିଳିପାରେ । ସେହିଭଳି ଏକାଧିକ ବିଭାଗ ରଖିଥିବା ମନ୍ତ୍ରୀଙ୍କ ଠାରୁ କିଛି ବିଭାଗ କାଢି ଆଣି ନୂଆ ମନ୍ତ୍ରୀଙ୍କୁ ଦିଆଯାଇପାରେ । ମୁଖ୍ୟତଃ ଯେଉଁ ରାଜ୍ୟରେ ଆଗକୁ ନିର୍ବାଚନ ରହିଛି ସେହି ସବୁ ରାଜ୍ୟକୁ ଫୋକସ କରିପାରନ୍ତି ମୋଦି ।
କେବଳ ବିଜେପିରୁ ନୁହେଁ ବରଂ ସହଯୋଗୀ ଦଳକୁ ମଧ୍ୟ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସୁଯୋଗ ଦିଆଯାଇପାରେ । ବିଭିନ୍ନ ରାଜ୍ୟର ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତି ନେଇପାରନ୍ତି ମୋଦି । କାରଣ ଆଗକୁ ୫ଟିରେ ନିର୍ବାଚନ ହେବାକୁ ଅଛି । ତେଣୁ ବରିଷ୍ଠ ନେତାଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା ପରେ ନୂଆ ମନ୍ତ୍ରୀମଣ୍ଡଳରେ ମୋହର ମାରିପାରନ୍ତି ମୋଦି ।