ନୟାଗଡ ପରୀ ମୃତ୍ୟୁ ମାମଲାରେ ବଡ ଖୁଲାସା । ଲାଏ ଡିଟେକ୍ସନ୍ ଟେଷ୍ଟ ପୂର୍ବରୁ ସବୁ କହିଦେଲା ଅଭିଯୁକ୍ତ । ପଢନ୍ତୁ ଏହି ରିପୋର୍ଟ…

1,566

କନକ ବ୍ୟୁରୋ: ଇଏ ଏମିତି ଏକ ବୀଭତ୍ସ କାହାଣୀ, ଯାହାକୁ ଶୁଣିଲେ ଛାତି ଥରି ଉଠିବ । ଘରେ କେହି ନଥିବା ବେଳେ କିପରି କୁନି ଝିଅ ପରୀକୁ ଘରକୁ ଡାକି ନେଇ ତଂଟି ଚିପି ମାରିଥିଲା, ତା ନିଜ ମୁହଁରେ ବଖାଣିଛି ଅଭିଯୁକ୍ତ । ଲାଇ ଡିଟେକସନ୍ ଟେବୁଲକୁ ଯିବା ପୂର୍ବରୁ ପରୀ ହତ୍ୟା ଅଭିଯୁକ୍ତକୁ ପାଖ କୋଠରୀରେ ବସା ଯାଇଥିଲା । ଯାହାର ଭିଡିଓ ଏବେ କନକ ନ୍ୟୁଜ ହାତରେ ଲାଗିଛି । ଯେଉଁ ବିଶେଷଜ୍ଞମାନେ ଏହି ଟେଷ୍ଟ କରନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଅନୌପଚାରିକ ଭାବେ ପଚରାଉଚରା କରିଥିଲେ ।

ସେହି ସମୟରେ ଅଭିଯୁକ୍ତ ମାନିଥିଲା, ପରୀକୁ ମାରିଦେବା ପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡି ପଛପଟେ ପୋଖରୀ କୂୂଳରେ ମୃତଦେହକୁ ଫୋପାଡି ଦେଇଥିଲା । ଆଉ ଏକଥା ବି ଅଭିଯୁକ୍ତ ସ୍ୱୀକାର କରିଛି, ସେ ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ଲେଗିଙ୍ଗସକୁ ଖୋଲିଥିଲା, ହେଲେ ଦୁଃଖ ଲାଗିବାରୁ ଦୁଷ୍କର୍ମ କରିନଥିଲା ବୋଲି କହିଛି ଅଭିଯୁକ୍ତ । ମୃତଦେହ ଫିଙ୍ଗିବା ପୂର୍ବରୁ ଲେଗିଙ୍ଗସକୁ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା ।

ଅଭିଯୁକ୍ତର ଏହି ସ୍ୱୀକାରୋକ୍ତିି ଭିଡିଓକୁ ଚାର୍ଜସିଟ୍ ସହ କୋର୍ଟରେ ଦାଖଲ କରିଛି ଏସଆଇଟି । ଅଭିଯୁକ୍ତର ଏହି ଭିଡିଓକୁ କୋର୍ଟରେ ପ୍ରମାଣ କରିବା ପାଇଁ ରେକର୍ଡ କରିଥିବା ସାଇଂଟିଫିକ୍ ଅଫିସରଙ୍କୁ ସାକ୍ଷୀ ବନାଇଛି ଏସଆଇଟି । ଆଉ ଏପଟେ ପରୀ ଅଭିଯୁକ୍ତର ଏଭଳି ଭିଡିଓ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପରୀର ମାଆ । ସେ ପ୍ରଶ୍ନ କରିଛନ୍ତି, ଅଭିଯୁକ୍ତର ଏହି ଭିଡିଓ ବାହାରକୁ କିପରି ଆସିଲା ଏବଂ ପୁଣିଥରେ ସିବିଆଇ ତଦନ୍ତ ପାଇଁ ସେ ଦାବି ଦୋହରାଇଛନ୍ତି ।  ଅନ୍ୟପଟେ ଅଭିଯୁକ୍ତର ସ୍ୱୀକାରୋକ୍ତି ଭିଡିଓ ସାମନାକୁ ଆସିବା ପରେ ଏହି ମାମଲା ଏକ ନୂଆ ମୋଡ ନେଇଛି । ପୁଲିସ ଚାପରେ ଆସି ଅଭିଯୁକ୍ତ ଏପରି କହିଛି, ନା ସଜାରୁ ବଂଚିବା ପାଇଁ ସାଇଂଟିଫିକ୍ ଅଫିସରଙ୍କ ଆଗରେ ସତ ବଖାଣିଛି, ତାହା ଆଗକୁ ଜଣାପଡିବ ।