ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ସୀମା ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର ।

88

କନକ ବ୍ୟୁରୋ: ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ହିଁ ହେଲା । ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ କଂଗ୍ରେସ ଗୃହରେ ନାରାବାଜି କରିଥିଲା ।କୋଟିଆରେ ଆନ୍ଧ୍ରର ନିର୍ବାଚନ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବଂ ରାଜ୍ୟର ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଉଠାଇ କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ସଦସ୍ୟ । ଏପଟେ ଚାଷୀ ପ୍ରସଙ୍ଗକୁ ଉଠାଇ ବିଜେପି ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ । ଏପଟେ କୋଟିଆ ପ୍ରସଙ୍ଗରେ ଉତ୍ତର ରଖି, ରାଜସ୍ୱ ମନ୍ତ୍ରୀ ସୁମାଦ ମାର୍ଣ୍ଡି କହିଛନ୍ତି, କୋଟିଆ ଓଡ଼ିଶାର ଥିଲା, ଅଛି ଓ ରହିବ ।

କଂଗ୍ରେସ ଭଳି ବିଜେପି ମଧ୍ୟ କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା । ଉଭୟ ବିଜେପି  ଓ କଂଗ୍ରେସକୁ ଜବାବ ଦେଇ ପଟାଙ୍ଗୀ ବିଧାୟକ କହିଛନ୍ତି, କୋଟିଆର ସେହି ତିନୋଟି ପଂଚାୟତ ଓଡ଼ିଶାର ।  ୨୦୧୯ ନିର୍ବାଚନରେ ସେହି ପଂଚାୟତର ଲୋକମାନେ ଭୋଟ୍ ଦେଇ ତାଙ୍କୁ ଜିତେଇଥିଲେ ।

ରାଜ୍ୟପାଳଙ୍କ ଅଭିଭାଷଣ ପରେ ପୁଣି ହଟ୍ଟଗୋଳ କରିଥିଲା ବିଜେପି । ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ଚାଷୀ ପ୍ରସଙ୍ଗ ଓ ମଣ୍ଡି ସମସ୍ୟା ଉଠାଇଥିଲେ ବିରୋଧୀ ବିଜେପି ଦଳର ସଦସ୍ୟ । ଅନ୍ୟପଟେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଜେପି ସମସ୍ୟଙ୍କୁ ଟାର୍ଗେଟ୍ କରିଥିଲେ । ବିଜେଟ୍ ଅଧିବେଶନର ପ୍ରଥମ ଦିନରୁ ବିରୋଧୀଙ୍କ ଆଭିମୁଖ୍ୟ ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି ଥିବା ବେଳେ ଆଗକୁ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ ।