ମହାରାଷ୍ଟ୍ରକୁ ପୁଣି ଫେରିଲା ଲକଡାଉନ୍ । ଆସନ୍ତା ୨୮ ତାରିଖ ଯାଏଁ ଜବତମାଲ୍ ଜିଲ୍ଲା ତାଲାବନ୍ଦ।

1,714

କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଆସିଛି ଏଭଳି ଏକ ଖବର ଯାହା, ଭତାଣୁକୁ ନେଇ ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି । ମହାରାଷ୍ଟ୍ରର ଜବତମାଲ୍ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି । ଜିଲ୍ଲାରେ ଡିସେମ୍ବର ମାସରୁ ଜାନୁୟାରୀ ୨୯ ତାରିଖ ମଧ୍ୟରେ କରୋନାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଫେବୃୟାରୀ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଜବତମାଲ୍, ପଂଢ଼ରକବଡ଼ା ଏବଂ ପୁସନ୍ଦରେ କରୋନା ଆକ୍ରାନ୍ତ ସଂଖ୍ୟା ସବୁଠୁ ଅଧିକ ବଢ଼ୁଥିବାର ଦେଖିବାକୁ ମିଳିଛି । ଏହି ତିନୋଟି ସ୍ଥାନରେ ପ୍ରତିଦିନ ପାଖାପାଖି ୫ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ବଢ଼ୁଥିବା କରୋନା ସଂଖ୍ୟା ଏବଂ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ରିପୋର୍ଟ ତଲବ କରିଛନ୍ତି ମହାରାଷ୍ଟ୍ର ସରକାର । ଏମିତି କି ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ମୃତ୍ୟୁ ସମ୍ପର୍କିତ ତଥ୍ୟ ଦେବାକୁ କୁହାଯାଇଛି ।

ଜବତମାଲ୍ ଜିଲ୍ଲାରେ ଅଧିକ କରୋନା ପ୍ରବଣ ଏବଂ କମ ପ୍ରବଣ ସଂକ୍ରମଣ ଅଂଚଳକୁ ନଜର ରଖାଯାଇଛି । ଆଉ ସେହି ଅଧାରରେ ଲକଡାଉନ୍ କରାଯାଇଛି । ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୪ ହଜାର ୭୮୭ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ରାଜ୍ୟରେ ୨୦ ଲକ୍ଷ ୭୬ ହଜାର ୯୩ କରୋନା ରୋଗୀଙ୍କ ସଂଖ୍ୟା ପହଂଚି ସାରିଛି । ସେହିପରି ମହାରାଷ୍ଟ୍ରରେ ୫୧ ହଜାର ୬୩୧ ଜଣ ଲୋକ କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ମହାରାଷ୍ଟ୍ରରେ ୩୮ ହଜାର ୧୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏପଟେ ମୁମ୍ବାଇ ମହାନଗରରେ ଗତ ୨୪ ଘଂଟାରେ ୭୨୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଏହି ସମୟସୀମା ଭିତରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇରେ ମୋଟ୍ କରୋନା ସଂକ୍ରମଣଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୭୫୧ରେ ପହଂଚିଥିବା ବେଳେ ବର୍ତମାନ ସୁଦ୍ଧା ୧୧ ହଜାର ୪୨୮ କରୋନା ରୋଗୀଙ୍କ ମତ୍ୟୁ ହୋଇଛି ।

ଏସବୁ ଭିତରେ ଗତ ୨୪ ଘଂଟାରେ ଭାରତରେ ୧୧ ହଜାର ୫୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ କେବଳ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରୁ ଚିହ୍ନଟ ହୋଇଛନ୍ତି ୮ ହଜାର ୬ଶହ କରୋନା ରୋଗୀ । ମହାରାଷ୍ଟ୍ରରେ ୩ ହଜାର ୬୬୩ ଏବଂ କେରଳରେ ୪ ହଜାର ୯୩୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନାର ନୂଆ ଷ୍ଟ୍ରେନ୍ ଯୋଗୁଁ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଆଶଙ୍କା କରାଯାଉଛି ।