ନବୀନଙ୍କ ପ୍ରଶଂସା କଲେ ଅରବିନ୍ଦ ପାନଗାରିଆ: ଲେଖିଲେ, ମହାବାତ୍ୟା ପରେ ଓଡିଶାର ହୋଇଛି ସାମଗ୍ରୀକ ବିକାଶ

162

କନକ ବ୍ୟୁରୋ: ନୀତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା କଲମ୍ବିଆ ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପାନଗରିଆ ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଏକ ସମ୍ପାଦକୀୟ ଲେଖିଛନ୍ତି । ଯେଉଁଥିରେ ୨୨ ବର୍ଷର ନବୀନ ସରକାରରେ ଓଡ଼ିଶାରେ ହୋଇଥିବା ବିକାଶକୁ ଦର୍ଶାଇଛନ୍ତି । ରାଜନୀତି ହେଉ କି ଅର୍ଥନୀତି ହେଉ, ସବୁଥିରେ ନବୀନଙ୍କୁ ଏକ ନମ୍ବର ଭାବେ ଚିତ୍ରଣ କରିଛନ୍ତି ପ୍ରଫେସର ପାନାଗରିଆ । ମହାବାତ୍ୟା ପରର ଓଡ଼ିଶାକୁ ନବୀନ କିପରି ସମ୍ଭାଳିଛନ୍ତି, ତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ପାନାଗରିଆ । ବିକାଶ ସହିତ ଓଡ଼ିଶା ପ୍ରତି ଥିବା ଚ୍ୟାଲେଞ୍ଜକୁ ମଧ୍ୟ ଚିତ୍ରଣ କରିଛନ୍ତି ପାନାଗରିଆ ।

ନବୀନଙ୍କ ୨୨ ବର୍ଷର ଶାସନ ଓଡ଼ିଶା ଭଳି ରାଜ୍ୟକୁ କିପରି ଅର୍ଥନୈତିକ, କୃଷିଭିତିକ ଓ ସମାନ୍ତରାଳ ବିକାଶ ଦିଗରେ ଆଗକୁ ବଢ଼ାଇଛି, ସେ ବିଷୟରେ ଉଲ୍ଲେଖ କରିଛନ୍ତି ପାନାଗରିଆ । ୨୦୦୦ ମସିହାର ସ୍ଥିତି ଓ ଆଜିର ସ୍ଥିତି ମଧ୍ୟରେ ଆକାଶ ପାତାଳ ତଫାତ ଦେଖିବାକୁ ମିଳିଛି ।

ସମ୍ପାଦକୀୟରେ ଅରବିନ୍ଦ ପାନାଗାରିଆ ଓଡ଼ିଶାର ଚିତ୍ରକୁ କିଛି ଏଭଳି ଢଙ୍ଗରେ ଦେଖାଇଛନ୍ତି ।
-୨୦୦୪-୦୫ରେ ଓଡ଼ିଶାର ଦାରିଦ୍ର୍ୟ ହାର ଥିଲା ୫୭. ୬ %
– ୨୦୧୧-୧୨ ଏହା କମି ୩୨.୯ %କୁ ପହଂଚିଥିଲା
– ଓଡ଼ିଶାରେ ଗ୍ରାମାଞ୍ଚଳର ଚିତ୍ର ୨୨ ବର୍ଷରେ ବଦଳିଯାଇଛି
– ରାଜ୍ୟର ବାର୍ଷିକ ଆୟ ବୃଦ୍ଧି ପାଇଛି
– ଜନସାଧାରଣଙ୍କ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଇଛି
– ରାଜ୍ୟର ଅଭିବୃଦ୍ଧି ହାର ୨୦୦୦ ମସିହା ତୁଳନାରେ ୩% ବୃଦ୍ଧି ପାଇଛି
– ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କର ବିକାଶ ହୋଇଛି
– ରାଜ୍ୟର ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇଛି
– ଚାଷୀଙ୍କର ବାର୍ଷିକ ଆୟ ଅନ୍ୟ ରାଜ୍ୟ ତୁଳନାରେ ବୃଦ୍ଧି ପାଇଛି
– ୨୨ ବର୍ଷର ସରକାର ସବୁଦିଗରୁ ରାଜ୍ୟକୁ ବିକାଶ ପଥରେ ନେଇଛି

ବିକାଶ ସହିତ ଓଡ଼ିଶା କେଉଁଥିରେ ନିଜକୁ ସୁଦୃଢ଼ କରିପାରିବ, ତାକୁ ନେଇ ପରାମର୍ଶ ଦେଇଛନ୍ତି ପାନାଗରିଆ । ରାଜ୍ୟରେ ୪୮ ଦଶମିକ ୩ ପ୍ରତିଶତ ଶ୍ରମଜୀବୀ କୃଷି କ୍ଷେତ୍ର ସହ ଜଡ଼ିତ । ଏହି ସଂଖ୍ୟାକୁ କମାଇବାର ଆବଶ୍ୟକତା ରହିଛି । ଶିଳ୍ପ, ଆଇଟି ଭଳି ଅଧିକ ଦରମା ପାଉଥିବା ଶ୍ରମଜୀବୀଙ୍କ ସଂଖ୍ୟା ବଢ଼ାଇବାକୁ ପଡ଼ିବ । ଚାକିରିଆ ନହୋଇ ଉଦ୍ୟୋଗୀ ହେବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ପାନାଗରିଆ ।