ଇତିହାସ ରଚିଲେ ବାପା, ଝିଅ । ଏକାଠି ଉଡାଇଲେ ବାୟୁସେନାର ଯୁଦ୍ଧ ବିମାନ

104

କନକ ବ୍ୟୁରୋ : ପୂର୍ବରୁ ବାପା, ପୁଅ ଭାରତୀୟ ବାୟୁସେନାରେ ବିମାନ ଉଡାଇଥିବା ଆମେ ଦେଖିଛେ । ହେଲେ ପ୍ରଥମ ଥର ପାଇଁ ବାପା, ଝିଅ ବାୟୁସେନାର ଅତ୍ୟାଧୁନିକ ଫାଇଟର ଜେଟ୍ ତଥା ଯୁଦ୍ଧ ବିମାନ ଉଡାଇ ଇତିହାସ ରଚିଛନ୍ତି । ବିଦର ଏୟାରବେସରେ ବାୟୁସେନାର ଯୁଦ୍ଧ ବିମାନ ହକ୍-୧୩୨ର ଏୟାର ସୋ’ରେ ଉଭୟ ସାମିଲ ହୋଇ ବିମାନ ଉଡାଇଛନ୍ତି । ଯୁଦ୍ଧ ବିମାନ ଉଡାଉଥିବା ଏୟାର କମାଣ୍ଡର ସଞ୍ଜୟ ଶର୍ମା ଏବେ ଦିଲ୍ଲୀ ସ୍ଥିତ ବାୟୁସେନାର ମୁଖ୍ୟାଳୟରେ ନିଯୁକ୍ତ ହୋଇଥିବା ବେଳେ ତାଙ୍କର ୨୪ ବର୍ଷିୟ ଝିଅ ଅନନ୍ୟା ଶର୍ମା ସେଠାରେ ଟ୍ରେନିଂ ଅଫିସର ଭାବେ ପୋଷ୍ଟିଂ ହୋଇଛନ୍ତି । ୫ ଜଣିଆ ଏହି ଟିମ୍ରେ ବାପା ଏବଂ ଝିଅଙ୍କୁ ଏକାଠି ବିମାନ ଉଡାଉଥିବାର ଦେଖିବାକୁ ମିଳିଛି । ତେବେ ତାଙ୍କ ଝିଅ ତାଙ୍କ ଭଳି ପାଇଲଟ ହେବାକୁ ପିଲାବେଳୁ ଇଛା ରଖିଥଲେ ବୋଲି କହିଛନ୍ତି କମାଣ୍ଡର ସଞ୍ଜୟ ଶର୍ମା ।

ଯୁଦ୍ଧ ବିମାନ ଉଡାଇବା ପୂର୍ବରୁ ବାପା, ଝିଅଙ୍କୁ ଏକାଠି ବିମାନ ଉଡାଇବେ ବୋଲି କୌଣସି ସୂଚନା ଦିଆଯାଇନଥିଲା । ୫ ଜଣିଆ ଟିମ୍ରେ ଉଭୟ ବାପା, ଝଅ ଥିବା ସେମାନେ ଏୟାରବେସରେ ପହଂଚିବା ପରେ ଜାଣିବାକୁ ପାଇôଥଲେ ବୋଲି କହିଛନ୍ତି ବାୟୁସେନାର ଜଣେ ଅଫିସର । ତେବେ ଅନନ୍ୟା ପାଇଲଟ ହେବାକୁ ପିଲାବେଳୁ ଇଛା ରଖିଥିଲେ । ଛୋଟ ବେଳୁ ସେ ତାଙ୍କ ବାପାଙ୍କୁ କାହିଁକି ମହିଳା ଫାଇଟର ପାଇଲଟ ନାହାଁନ୍ତି ବୋଲି ପ୍ରଶ୍ନ କରୁଥିଲେ । ଏବଂ ତାଙ୍କ ବାପା ତାଙ୍କୁ ଭବିଷ୍ୟତରେ ଜଣେ ଫାଇଟର ପାଇଲଟ ହେବେ ବୋଲି କହିଥିଲେ, ଯାହା ଆଜି ସତ ହୋଇଛି ବୋଲି କହିଛନ୍ତି ଯୁବ ପାଇଲଟ ଅନନ୍ୟା ଶର୍ମା ।

୨୦୧୬ରେ ଭାରତୀୟ ବାୟୁସେନାରେ ମହିଳାଙ୍କ ନିଯୁକ୍ତିକୁ ସ୍ୱୀକୃତି ମିଳିବା ପରେ ଏବେ ସୁଦ୍ଧା ୧୫ ଜଣ ମହିଳା ପାଇଲଟ୍ ଯୁଦ୍ଧ ବିମାନ ଉଡାଇବାରେ ସକ୍ଷମ ହୋଇଛନ୍ତି । ଯେଉଁମାନେ ମିଗ୍-୨୧, ସୁଖୋଇ-୩୦ ଏବଂ ରାଫେଳ ଭଳି ସୁପରସୋନିକ୍ ଯୁଦ୍ଧ ବିମାନ ଉଡାଇ ରେକର୍ଡ କରିଛନ୍ତି ।