ରାୟଗଡା ବ୍ଲକ ୭ଟି ଆଦିବାସୀ ଗାଁର ବିକାଶରେ ବାଧକ ସାଜିଛି ନାଗାବଳୀ । ପୋଲଟିଏ ନଥିବାରୁ ଗାଁ ମାଡୁନାହାନ୍ତି ସରକାରୀ ବାବୁ, ପହଂଚି ପାରୁନି ଉନ୍ନୟନ ମୂଳକ ଯୋଜନା 

70

କନକ ବ୍ୟୁରୋ: ଗାଁ ବିକାଶରେ ବାଧକ ସାଜିଛି ନାଗାବଳି ନଦୀ  । ପ୍ରଖର ସ୍ରୋତକୁ କାଟି ଯାତାୟାତ କରୁଛନ୍ତି ଲୋକେ । ଗୋଟିଏ ପଟେ ନାଗାବଳିର ସ୍ରୋତ, ଅନ୍ୟପଟେ ଜୀବନ ଜୀବିକା । ରାତି ପାହିଲେ ପାହାଡି ଗାଁରୁ ବାହାରି ରାୟଗଡା ସହରକୁ ଯିବାକୁ ପଡେ । ଅତ୍ୟାବଶକୀୟ ସାମଗ୍ରୀ କିଣାବିକା ହେଉକି, ଛାତ୍ରଛାତ୍ରୀଙ୍କ ପାଠ ପଢା । ପିଡିଏସ ସାମଗ୍ରୀ, ବାର୍ଦ୍ଧକ୍ୟ ଭତା, ସ୍ୱାସ୍ଥ୍ୟ ସେବା ସବୁ ରହିଛି ନାଗାବଳୀ ନଦୀ ଆରପଟେ ।  ତେଣୁ ପାଣି ପାରି ହେବାକୁ ପଡେ । ଗାଁକୁ ଯିବାକୁ ରାସ୍ତା ନଥିବାରୁ ପହଂଚି ପାରେନି ଆମ୍ବୁଲାନ୍ସ, ରୋଗୀ ବୁହା ହୁଅନ୍ତି ଦୋଳାରେ । ରାୟଗଡା ଜିଲ୍ଲାର ଆଦିବାସୀଙ୍କ ବିକାଶରେ ବାଧକ ସାଜିଛି ନାଗାବଳୀ ନଦୀ ।

ଓସାରିଆ ନାଗାବଳି ନଦୀରେ ମାନବ ଶୃଙ୍ଖଳ । ଏହା କୌଣସି ପ୍ରତିବାଦ ପାଇଁ ନୁହେଁ । ନଦୀ ପାର ହୋଇ ଗାଁରେ ପହଂଚିବା ଆଶାରେ ବିପଦପୂର୍ଣ୍ଣ ଜଳଯାତ୍ରା । ନାଗାବଳୀ ଆରପଟେ ପାହାଡ ମଝିରେ ରହିଛି ୭ଟି ଗାଁ । ରୟଗଡା ବ୍ଲକର ବାଇସିଙ୍ଗ ପଚାଂୟତର ପୁଜାରିବମ୍ବୁ, ଜଗାଗୁଡା, ଜାପା, ଉପରବମ୍ବୁ, ବେଡଲି, କୁସକୁ ଓ ଅମ୍ବରୁବାଲିରେ ପ୍ରାୟ ୩ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ରାୟଗଡା ସହର ଠାରୁ ୭ କିଲୋମିଟର ଦୂରରେ ଥିବା ଗାଁରେ କେବେ ସରକାରୀ ବାବୁଙ୍କ ପାଦ ପଡିନି । ତେଣୁ ଏଠାରେ ଦିଗହରା ସରକାରୀ ଯୋଜନା ।

ନାଗାବଳୀ ଆରପଟେ ଥିବା ଗାଁକୁ ଗମନାଗମନର ସୁବିଧା ନାହିଁ । ପକ୍କା ସେତୁଟିଏ ନଥିବାରୁ ଲୋକେ ପାଣିରେ ପଶି ଯାତାୟାତ କରୁଛନ୍ତି । ରୋଗୀଙ୍କ ଭାରରେ ବୋହି ଡାକ୍ତରଖାନାକୁ ନେବାକୁ ପଡେ । ସଉଦାପତ୍ର କିଣା ବିକା, ସ୍କୁଲ କଲେଜ  ଓ ଭତା ପାଇଁ ଜୀବନକୁ ବାଜିରେ ଲଗାଇ ପାଣି ପାରି ହୁଅନ୍ତି । ବର୍ଷା ଦିନେ ସ୍ଥିତି ଅଧିକ ବିଗିଡି ଯାଏ । ନଦୀରେ ଜଳସ୍ତର ବଢିଲେ ଆଦିବାସୀ ମଣିଷ ହାତ ଧରାଧରି ହୋଇ ନାଗାବଳୀ ପାରି ହୁଅନ୍ତି ।

ବର୍ଷ ବର୍ଷ ଧରି ଆଶା ଓ ଆଶଙ୍କା ଭିତରେ ଆଗକୁ ବଢୁଛି ଆଦିବାସୀଙ୍କ ଜୀବନ । ପ୍ରତିଦିନ ବିପଦକୁ ସାମ୍ନା କରି ନାଗାବଳୀ ପାରି ହେଉଛନ୍ତି ଲୋକେ । ତେଣୁ ସରକାର ବାବୁ ଗାଁକୁ ଯାଇ ଅନୁଧ୍ୟାନ କରି ସୁବିଧାସୁଯୋଗ ଯୋଗାଇ ଦେବାକୁ ଦାବି ହୋଇଛି ।