ଭୁବନେଶ୍ୱରର ମୋ ସାଇକେଲ, ବାଲେଶ୍ୱରର ସିଟି ବସ୍ ପରେ ଏବେ ଜୟପୁର ସିଟି ବସର ଅସଲ ଚିତ୍ର । ରାସ୍ତାକଡ ପଡିଆରେ ପଡି ରହିଛି ବସ୍, ଚୋରି ହୋଇଗଲାଣି ଯନ୍ତ୍ରାଂଶ

183

କନକ ବ୍ୟୁରୋ: ସହରକୁୁ ସହର ଯୋଡ଼ିବା ସହିତ ଅପହଂଚ ଇଲାକାରେ ଯାତାୟାତର ସୁବିଧା ପାଇଁ ଜୟପୁରରେ ସିଟି ବସ ସେବା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଏହି ବସ ଯେତିକି ଗଡ଼ିଲା ନାହିଁ ତା’ଠାରୁ ଅଧିକ ଝୁଟିଂଲା । ଆଉ ଏବେ ରାସ୍ତା କଡ଼ରେ ପଡ଼ି ଖତ ଖାଉଛି । ଚଳଚଂଚଳ ସହରରେ ଏବେ ଆଉ ସିଟି ବସର ଦେଖା ମିଳୁନି ।

ଭୁବନେଶ୍ୱରର ମୋ ସାଇକେଲ୍ ଓ ବାଲେଶ୍ୱରର ସିଟି ଭଳି ଜୟପୁରରେ ମଧ୍ୟ ହଜି ଯାଇଛି ସିଟି ବସ୍ । ଆଦିବାସୀ ଅଂଚଳକୁ ଗମନାଗମନ ପାଇଁ ସହରରେ ତ ଗଡୁନି ବରଂ ଗୋଟିଏ ପଡିଆରେ ଠିଆ ହୋଇଥିବା ବେଳେ ଖତଗଦା ପାଲଟି ଯାଇଛି ।

ଜୟପୁର ସହରରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ବସ ଆସିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬୦ ବସ ଆସିଥାନ୍ତା । ଆଧୁନିକ ଯନ୍ତ୍ରପାତିରେ ନର୍ମିତ ବସ ଜୟପୁରରେ ଗଡିବା ଦେଖି ଜିଲ୍ଳାବାସୀ ଆଧୁନିକ ସହରର ସ୍ୱପ୍ନ ଦେଖିଥିଲେ । ହେଲେ ସିଟି ବସ ସେବା ଆରମ୍ଭର ମାତ୍ର ୨ରୁ ୩ ମାସରେ ଠପ୍ ହୋଇଗଲା । ଗୋଟିଏ ସ୍ଥାନରେ ଠିଆ ହୋଇଥିବା ବେଳେ ବସ୍ରୁ ବେଟାରୀ ସହ ଅନେକ ଯନ୍ତ୍ରାଂଶ ଚୋରି ହୋଇ ଗଲାଣି ।

ଆରଟିଆଇ ତଥ୍ୟ ବଳରେ ଜଣାପଡିଛି, ଜୟପୁରରେ ସିଟି ବସ ଚଳାଇବା ପାଇଁ ସରକାରଙ୍କ ତରଫରୁ ଟେଣ୍ଡର ପ୍ରକ୍ରିୟାରେ ଠିକା ସଂସ୍ଥାକୁ ଦିଆଯାଇଥିଲା । ଅକେନ ସର୍ତ୍ତ ରଖାଯାଇଥିଲା । ସହର ଓ ଗ୍ରାମାଂଚଳ ଲୋକଙ୍କୁ ଗମନାଗମନ ସୁବିଧା ଯୋଗାଇବ । ବସରେ ସିଟ୍ ଯେତିକି, ସେତିକି ଯାତ୍ରୀ ଯାତାୟାତ କରିବେ । ଏବଂ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରିବେ । କିନ୍ତୁ ସେମିତି କିଛି ହେଲା ନାହିଁ । ୫ କୋଟି ୨୦ ଲକ୍ଷ ଟଙ୍କାର ବସ ଗଡିବା ଠାରୁ ଆରମ୍ଭ କରି ଗୋଟିଏ ସ୍ଥାନରେ ଠିଆ ହୋଇ ଖତ ହେବା ଯାଏଁ ଜିଲ୍ଲା ପ୍ରଶାସନ ଦେଖିଲା ନାହିଁ କି ବୁଝିଲେ ନାହିଁ ।