କଂଗ୍ରେସ କନ୍ଦଳ ନେଇ ପ୍ରତିକ୍ରିୟା ରଖିଲେ ଚେଲ୍ଲାକୁମାର । କହିଲେ, ଯିଏ ଦଳ ଛାଡିବାକୁ ଚାହୁଁଛନ୍ତି ଯାଆନ୍ତୁ ।

211

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ଲାଗିଥିବା କନ୍ଦଳ ଭିତରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । ତାଙ୍କ ପ୍ରତିକ୍ରିୟାରେ ସେ ବିଦ୍ରୋହୀ ନେତାଙ୍କୁ ସିଧା ସିଧା ବାହାରର ରାସ୍ତା ଦେଖାଇବା ସହିତ କହିଛନ୍ତି, ଯେଉଁମାନେ ଦଳ ଛାଡି ଚାଲିଯିବାକୁ ଚାହୁଁଛନ୍ତି ସେମାନେ ଯାଆନ୍ତୁ । ସେମାନେ ଗଲା ପରେ ବି ଅନେକ ଲୋକ ଆସି କଂଗ୍ରେସରେ ଯୋଗଦେବେ । ତେଣୁ ଯେଉଁମାନେ କଂଗ୍ରେସ ଛାଡି ଚାଲିଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦ୍ୱାର ସବୁବେଳେ ଖୋଲା ଅଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ଦଳର ମୂଳଦୁଆ କେହି ଜଣେ କି ଦୁଇ ଜଣ ବ୍ୟକ୍ତି ନୁହେଁ । କଂଗ୍ରେସ ସବୁବେଳେ ବିଚାରଧାରାକୁ ନେଇ ଚାଲିଆସିଛି ଏବଂ ଚାଲିଆସିବ । ଯଦି ଦଳରେ କେହି ବିଶୃଙ୍ଖଳା କରନ୍ତି ତେବେ ଏହାକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି ।

କିଛି ଦିନ ତଳେ ରାଜ୍ୟ କଂଗ୍ରେସରେ ପୁଣି କନ୍ଦଳ ଦେଖିବାକୁ ମିଳିଥିଲା । ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ସିଧା ସିଧା ଦଳର ନେତା ତଥା ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏପରିକି ସେ ପିିସିସି ସଭାପତିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ନିକଟରେ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ନେଇ ଦଳର ଯେଉଁ ରଣନୀତି ବୈଠକ ହୋଇଥିଲା, ସେଥିରେ ମଧ୍ୟ ବିଧାୟକ ତାରା ପ୍ରସାଦ ବାହିନୀପତି କିମ୍ବା ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି ଯୋଗ ଦେଇନଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହୋଇଥିଲା ।