ସୁନା ମୁଦି ପାଇଁ ପେଟ୍ରୋଲ ଢାଳି ଜାଳି ଦେଇଥିଲେ ଲୁଟେରା: ଆନ୍ଧ୍ର ପ୍ରଦେଶରୁ ଅଭିଯୁକ୍ତ ବାପା-ପୁଅଙ୍କୁ ଗିରଫ କଲା ପୁଲିସ

131

କନକ ବ୍ୟୁରୋ: ସୁନା ମୁଦି ପାଇଁ ଯୁବ ବ୍ୟବସାୟୀଙ୍କୁ ହତ୍ୟା । ଅଭିଯୁକ୍ତ ବାପା-ପୁଅ, ଆନ୍ଧ୍ରପ୍ରଦେଶରୁ ଆସି ଓଡିଶାରେ କରିଥିଲେ ଲୁଟ୍ । ମୁଦି ଓ ବାଇକ୍ ଛଡେଇ ନେବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ପେଟ୍ରୋଲ ଢ଼ାଲି ଯୁବକଙ୍କୁ ପୋଡ଼ି ଦେଇଥିଲେ ଅଭିଯୁକ୍ତ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କୋରାପୁଟ ପୁଲିସ । ଆନ୍ଧ୍ରପ୍ରଦେଶରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜୟପୁର ସହରର ପାୱାର ହାଉସ କଲୋନିର ଯୁବ ବ୍ୟବସାୟୀ ଅନିଲ ତ୍ରୀପାଠୀକୁ ୨୧ ଦିନ ତଳେ ହତ୍ୟା କରାଯାଇଥିଲା । ରାସ୍ତାକଡରୁ ଅର୍ଦ୍ଧଦଗ୍ଧ ମରଶରୀର ପୁଲିସକୁ ମିଳିଥିଲା । ମେ’ ମାସ ୨୮ ତାରିଖରେ ଅନିଲ, ସାବିତ୍ରୀ ଅମାବାସ୍ୟା ସାମଗ୍ରୀ ଆଣିବା ପାଇଁ ସହରକୁ ଯାଇ ଆଉ ଘରକୁ ଫେରିନଥିଲେ ।

୨ ଦିନ ପରେ କୋରାପୁଟ ସହରର ବଗେଇଦର ଠରେ ତାଙ୍କର ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଥିଲା । ପୁଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ପାଖରେ ପହଂଚିଛି । ତେବେ ଯୁବ ବ୍ୟବସାୟୀଙ୍କ ହାତରେ ଥିବା ସୁନା ମୁଦି ଲୁଟ୍ କରିବା ପାଇଁ ଏଭଳି ହତ୍ୟାକାଣ୍ଡ ଘଟିଛି । ଆଉ ଏକ ଲୁଟ୍ କରିଛନ୍ତି ଆନ୍ଧ୍ରର ବାପା-ପୁଅ । ଅଭିଯୁକ୍ତ ସୁରିୟା ରାଓ ତାଙ୍କ ପୁଅ ଅନିଲକୁ ମାଡ଼ ମାରି ତାଙ୍କ ବାଇକ ଓ ମୁଦି ଛଡାଇ ନେଇଥିଲେ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ବାପା ଓ ପୁଅ, ଅନିଲଙ୍କ ଉପରେ ପେଟ୍ରୋଲ ଢ଼ାଲି ନିଆଁ ଲଗାଇ ଦେଇଥିଲେ । ସାଇବର ସେଲର ସହାୟତାରେ କୋରାପୁଟ ପୁଲିସ ଆନ୍ଧ୍ରରୁ ଅଭିଯୁକ୍ତ ବାପା-ପୁଅଙ୍କୁ ଗିରଫ କରିଛି । ଏହାସହ ମୃତ ଅନିଲ ପିନ୍ଧିଥିବା ସୁନା ମୁଦି ଓ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ।