ଶଗଡ ଚଢି କନିଆଁ ଘରକୁ ଗଲା ବର: ପରିବେଶ ସୁରକ୍ଷା ବାର୍ତା ଦେଇ ଶଗଡରେ ଶ୍ୱଶୁର ଘର ଗଲେ ଆଦିବାସୀ ଯୁବକ

157

କନକ ବ୍ୟୁରୋ: ବିବାହ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର । ତେଣୁ ଏହି ଦିନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ବିଭିନ୍ନ ଯୋଜନା କରିଥାଆନ୍ତି । ବାଜା ବାଣ ରୋଷଣୀ ସହିତ ଡ଼ିଜେ ଓ ଫୁଲରେ ସଜା କାରରେ ବର କନ୍ୟା ଘରକୁ ଆସିଥିବାର ଦୃଶ୍ୟ ପ୍ରାୟ ସମସ୍ତେ ଦେଖିଥିବେ । ହେଲେ ଜଣେ ଆଦିବାସୀ ଯୁବକ ତାଙ୍କ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଶଗଡ଼ ଗାଡ଼ିରେ କନ୍ୟା ଘରକୁ ଯାଇଥିବାର ନିଆରା ଦୃଶ୍ୟ ସମ୍ନାକୁ ଆସିଛି । ଯୁବକ ଜଣଙ୍କ ବିବାହ ଶୋଭାଯାତ୍ରାରେ ଗାଡ଼ି ମଟର ବ୍ୟବହାର ନକରି ବରବେଶରେ ଶଗଡ଼ ଗାଡ଼ିରେ ବସି କନ୍ୟା ଘରକୁ ବିବାହ କରିବାକୁ ଯାଇଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଂଜ ପଚାଖାଳି ଗାଁରେ ।

ପଚାଖାଳି ଗାଁର ଗୀତା ବେଶ୍ରାଙ୍କ ସହିତ ଇଦର ଗାଁର ରାମଚନ୍ଦ୍ର ମୁର୍ମୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ରାମଚନ୍ଦ୍ର ବରବେଶରେ ଶଗଡ଼ ଗାଡ଼ିରେ କନ୍ୟା ଘରକୁ ଯାଇଥିବା ବେଳେ ବରଯାତ୍ରୀ ମାନେ ଢୋଲ, ମାଦଳ ତାଳେ ତାଳେ ବରକୁ କନ୍ୟା ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏଭଳି ନିଆରା ବାହାଘରକୁ ଦେଖିବାକୁ ଆଖପାଖ ଅଂଚଳର ଲୋକେ ଭିଡ଼ ଲଗାଇଥିଲେ । ପୁରୁଣା ସଂସ୍କୃତି ଓ ପରମ୍ପରାକୁ ବଂଚାଇବା ସହ ପ୍ରଦୁଷଣ ମୁକ୍ତ ପରିବେଶ ଓ କମ୍ ଖର୍ଚ୍ଚରେ ବାହାଘର ହେବା ଉଚତ୍ ବୋଲି କହିଛନ୍ତି ବର ରାମଚନ୍ଦ ମୁର୍ମୁ । ଅନ୍ୟପଟେ କନ୍ୟା ଗୀତା ବେଶ୍ରା କହିଛନ୍ତି ପୁରୁଣା ପରମ୍ପରା ଅନୁସାରେ ଶଗଡ଼ ଗାଡ଼ିରେ ବର ଆସିଥିବାରୁ ସେ ମଧ୍ୟ ବହୁତ ଖୁସି ଅଛନ୍ତି ।