ଗଞ୍ଜାମ ଜିଲ୍ଲାକୁ ଗ୍ରାସ କରିଛି ସାମାଜିକ ବାସନ୍ଦ ଭଳି କୁ-ପ୍ରଥା: ଅନ୍ୟ ଜାତିରେ ବିବାହ କଲେ ପରିବାରକୁ ବାସନ୍ଦ କରୁଛି କୂଳ ସମାଜ

291

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାକୁ ଗ୍ରାସ କରିଛି ବାସନ୍ଦ ଭଳି କୁ-ପ୍ରଥା । କୂଳ ସମାଜ ଯୋଗୁଁ ଲୋକ ଗାଁରୁ ବାସନ୍ଦ କରାଯାଉଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ଭିନ୍ନ ଜାତିର ଝିଅକୁ ବିବାହ କରିଥିବାରୁ ଦୁଇ ଜଣ ଯବାନଙ୍କୁ ବାସନ୍ଦ କରିଥିଲେ କୁଳ ସମାଜ । ଏବେ ଏଭଳି ଆଉ ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ ମୌଳାଭଞ୍ଜା ଗାଁରୁ । ଗାଁର କାଳୁଚରଣ ବେହେରାଙ୍କ ଝିଅ ରୋଜାଲିନ ଅନ୍ୟ ଜାତି ଅନ୍ୟ ଜାତିରେ ବିବାହ କରିଛନ୍ତି । ୩ ବର୍ଷ ତଳୁ ବିବାହ କରିଥିବା ରୋଜାଲିନ୍ ଚଳିତ ପଂଚାୟତ ନିର୍ବାଚନରେ ମୌଳଭଞ୍ଜ ପଂଚାୟତରୁ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ନିର୍ବାଚନୀ ପ୍ରଚାର ବେଳେ ସେ ବାପାଘରକୁ ଯାଇ ପ୍ରଚାର କରିଥିଲେ । ଝିଅ ଅନ୍ୟ ଜାତିରେ ବାହା ହୋଇ କାହିଁକି ଘରକୁ ଆସିଲା ବୋଲି ବାପାଘର ଲୋକଙ୍କୁ କୂଳ ସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି ।

ଗତ ମାର୍ଚ୍ଚ ମାସରୁ କାଳୁଚରଣ ବେହେରାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି । ଗାଁର କୌଣସି ମାଙ୍ଗଳିକ କାର୍ଯ୍ୟରେ ଭାଗ ନେବାକୁ ଦିଆଯାଉନାହିଁ । କୂଳ ସମାଜର ଏହି ବିଚାରକୁ ବିରୋଧ କରି ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି କାଳୁ ଚରଣ । ଥନା ଅଧିକାରୀ କୂଳ ସମାଜର ସଭାପତିଙ୍କୁ ଡାକି ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଏଣୁ କାଳୁଚରଣଙ୍କ ପରିବାର ଲୋକ ନ୍ୟାୟ ପାଇଁ ବ୍ରହ୍ମପୁର ଏସପିଙ୍କୁ ଭେଟିଛନ୍ତି । ଏସପି ଶ୍ରବଣ ବିବେକ ଗୁରତର ସହ ନେଇ ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି । ଏହାସହ ସମ୍ପୃକ୍ତ କୂଳ ସମାଜର ମୁଖିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି । ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଥିବାରୁ ଗ୍ରାମାଂଚଳରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ କୂଳ ସମାଜର ମୂଖିଆଙ୍କୁ ନେଇ ବୈଠକ କରାଯିବ ବୋଲି ବ୍ରହ୍ମପୁର ଏସିପି ଶ୍ରବଣ ବିବେକ କହିଛନ୍ତି ।