ଧନୀ ତାଲିକାରେ ସ୍ଥାନ ବଜାୟ ରଖିଲେ ମୁକେଶ ଅମ୍ବାନୀ ! ଲଗାତାର ୧୧ ଥର ପାଇଁ ଦେଶର ନମ୍ବର ୱାନ ଧନୀ ।

55

କନକ ବ୍ୟୁରୋ : ଦେଶର ସବୁଠୁ ଧନୀ ମୁକେଶ ଅମ୍ବାନୀ । ଲଗାତାର ୧୧ ଥର ପାଇଁ ଦେଶର ଧନୀ ତାଲିକାର ପ୍ରଥମରେ ସ୍ଥାନ ପାଇଛନ୍ତି ମୁକେଶ ଅମ୍ବାନୀ । ପ୍ରତିଷ୍ଠିତ ଫୋର୍ବସ ମାଗାଜିନ ପକ୍ଷରୁ ଜାରି ହୋଇଥିବା ଫୋର୍ବସ ଇଣ୍ଡିଆ ରିଚ ଲିଷ୍ଟ ୨୦୧୮ରେ ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ଲୋକ ବୋଲି ପ୍ରକାଶ ପାଇଛି । ତାଲିକା ଅନୁଯାୟୀ ଅମ୍ବାନୀଙ୍କର ସମ୍ପତି ପରିମାଣ ହେଉଛି ୪୭.୩ ଅରବ ଡଲାର ଅର୍ଥାତ ୩ଲକ୍ଷ ୪୮ହଜାର ୯୫୬ କୋଟି ଟଙ୍କା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ଚଳିତ ବର୍ଷ ୯.୩ ଅରବ ଡଲାର ଅର୍ଥାତ ୬୮ହଜାର ୬୧୦ କୋଟି ଟଙ୍କା ସମ୍ପତି ବୃଦ୍ଧି କରିଛନ୍ତି । ରିଲାଏନ୍ସ ଜିଓ ଯୋଗୁଁ ମୁକେଶ ଅମ୍ବାନୀଙ୍କର ସମ୍ପତି ପରିମାଣ ବୃଦ୍ଧି ପାଉଛି ବୋଲି କୁହାଯାଇଛି ।

ଅମ୍ବାନୀଙ୍କ ପଛକୁ ରହିଛନ୍ତି ୱିପ୍ରୋ ଚେୟାରମ୍ୟାନ ଆଜିମ ପ୍ରେମଜୀ । ଏଥର ମଧ୍ୟ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚଳିତ ବର୍ଷ ତାଙ୍କ ସମ୍ପତିରେ ୨ଅରବ ଡଲାର ଅର୍ଥାତ ୭୫୫ କୋଟି ଟଙ୍କା ବୃଦ୍ଧି ଘଟିଛି । ଏହାକୁ ମିଶାଇ ତାଙ୍କର ମୋଟ ସମ୍ପତି ସଂଖ୍ୟା ରହିଛି ୨୧ ଅରବ ଡଲାର ବା ୧ଲକ୍ଷ ୫୪ ହଜାର ୯୨୭ କୋଟି ଟଙ୍କା । ସେହିପରି ତାଲିକାର ତୃତୀୟରେ ରହିଛନ୍ତି ଆର୍ସେଲରମିତଲ ଚେୟାରମ୍ୟାନ ତଥା ସିଇଓ ଲକ୍ଷ୍ମୀ ମିତଲ । ତାଙ୍କର ମୋଟ ସମ୍ପତି ୧୮.୩ ଅରବ ଡଲାର । ୧୮ ଅରବ ଡଲାର ସହ ଚତୁର୍ଥ ସ୍ଥାନରେ ଅଛନ୍ତି ହିନ୍ଦୁଜା ବ୍ରଦର୍ସ । ସେହିପରି ୧୫.୭ ଅରବ ଡଲାର ସହ ପଂଚମ ସ୍ଥାନରେ ଅଛନ୍ତି ପାଲୋନଜି ମିସ୍ତ୍ରି ।