ଭାଇରାଲ ହେଉଛି ଅମିତ ଶାହାଙ୍କ ଫେକ୍ ଭିଡିଓ । ରେବନ୍ଥ ରେଡ୍ଡୀଙ୍କୁ ନୋଟିସ୍ ପଠାଇଲା ଦିଲ୍ଲୀ ପୋଲିସ୍ ।

274

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଏକ ନକଲି ଭିଡିଓ ଭାଇରାଲ ହେଉଥିବା ନେଇ ଥାନାରେ ମାମଲା । ଆରକ୍ଷଣକୁ ନେଇ ଅମିତ ଶାହା ବିବାଦୀୟ ବୟାନ ରଖିଥିବା ଏହି ଭିଡିଓ ନକଲି ବୋଲି କହି ମାମଲା ଦାୟର ହୋଇଛି । ମାମଲାର ତଦନ୍ତ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ ନୋଟିସ୍ କରିଛି ଦିଲ୍ଲୀ ପୋଲିସ । ଆସନ୍ତା ମେ ୧ ତାରିଖରେ ପଚରାଉଚରା ପାଇଁ ରେବନ୍ଥ ରେଡ୍ଡୀଙ୍କୁ ସମନ୍ କରାଯାଇଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନିଜ ଫୋନ୍ ଆଣିବାକୁ ମଧ୍ୟ କୁହାଯାଇଛି ।

ନିକଟରେ ଅମିତ ଶାହାଙ୍କ ଭାଷଣର ଏକ ଫେକ୍ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଭିଡିଓରେ ଅମିତ ଶାହା କହୁଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି ସରକାର ଗଠନ କରେ ତାହାଲେ ଅସମ୍ବିଧାନିକ ଏସସି, ଏସଟି ଓ ଓବିସି ସଂରକ୍ଷଣକୁ ସମାପ୍ତ କରିଦିଆଯିବ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଉପୁଜିଥିଲା । ବିଜେପି ଏହାକୁ ନେଇ ତେଲେଙ୍ଗାନା କଂଗ୍ରେସ ବିରୋଧରେ ଥାନାରେ ଦ୍ୱାରସ୍ଥ ହୋଇଥିଲା । ଅମିତ ଶାହାଙ୍କ ଭିଡିଓକୁ ବିକୃତ କରି ଦର୍ଶାଯାଇଥିବା ବିଜେପି ଅଭିଯୋଗ କରିଥିଲା । ଏଥିପାଇଁ ହିଂସା ସୃଷ୍ଟି ହୋଇପାରେ ବୋଲି ଅଭିଯୋଗ ହୋଇଥିଲା ।

ରେବନ୍ଥ ରେଡ୍ଡୀ ନିଜ ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓ ସେୟାର କରିଥିଲେ । ଅମିତ ଶାହାଙ୍କ ସମେତ ଅନ୍ୟ ନେତାଙ୍କ ଭିଡିଓ ମଧ୍ୟ ସେୟାର କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏଥିପାଇଁ ରେବନ୍ଥ ରେଡ୍ଡୀଙ୍କୁ ନୋଟିସ୍ କରିଛି ଦିଲ୍ଲୀ ପୋଲିସ୍ । ସେପଟେ ଫେକ୍ ଭିଡିଓକୁ ନେଇ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାଇରାଲ ହେଉଥିବା ଏହି ଭିଡିଓର ମୂଳ ଯାଏଁ ପହଁଚିବାକୁ ଚେଷ୍ଟା କରାଯାଉଛି । ଯେଉଁମାନେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ତାଙ୍କୁ ପଚରାଉଚୁରା କରାଯିବ ବୋଲି ନୋଟିସ୍ ହୋଇଛି ।